ବେଙ୍ଗାଲୁରୁ, ୧୧।୧୧: କର୍ନାଟକ ସରକାରଙ୍କ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ଜମିର ଅହମଦ ଖାନ୍ ସୋମବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଭାରି ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍. ଡି. କୁମାରସ୍ବାମୀଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଛନ୍ତି।
ରାଜ୍ୟର ଚନ୍ନାପଟନା ବିଧାନସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରଚାର କରୁଥିବା ସମୟରେ ଏକ ଜନସଭାକୁ ସମ୍ବୋଧନ କରି କଂଗ୍ରେସ ନେତା ଜମିର କହିଛନ୍ତି, କର୍ନାଟକ ପାଇଁ ‘କାଲିଆ କୁମାରସ୍ବାମୀ’ ଭାଜପାଠାରୁ ମଧ୍ୟ ବେଶି ବିପଦ। ଜମିରଙ୍କ ଏହି ମନ୍ତବ୍ୟକୁ ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍) ସମାଲୋଚନା କରିବା ସହ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛି।