Categories: ଜାତୀୟ

‘ବୟଫ୍ରେଣ୍ଡ୍‌ ସହ ପୀଡ଼ିତାଙ୍କୁ ଜଙ୍ଗଲ ଯିବାର ନ ଥିଲା’

ନୂଆଦିଲ୍ଲୀ,୨୬।୮: କର୍ନାଟକର ମାହୀଶୂରରେ ମଙ୍ଗଳବାର ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ବୟଫ୍ରେଣ୍ଡ୍‌ଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ ହେବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ବସଭରାଜ ଏସ୍‌ ବୋମାଇ କହିଛନ୍ତି।

କିନ୍ତୁ ଏହି ଗଣବଳାତ୍କାର ଘଟଣା ଉପରେ ବିବାଦୀୟ ବୟାନ ଦେଇଛନ୍ତି ରାଜ୍ୟର ଗୃହମନ୍ତ୍ରୀ ଆରାଗା ଜାନେନ୍ଦ୍ର। ରାତି ପ୍ରାୟ ୭ଟା ୩୦ରେ ସେମାନେ ନିର୍ଜନ ସ୍ଥାନକୁ ଯାଇଥିଲେ। ସେମାନଙ୍କ ପାଇଁ ସେଠାକୁ ଯିବା ଉଚିତ୍‌ ନ ଥିଲା। କିନ୍ତୁ ସେଠାକୁ ଯିବାକୁ ଆମେ କାହାକୁ ରୋକି ପାରିବୁ ନାହିଁ। ଏହା ଏକ ନିର୍ଜନ ସ୍ଥାନ ହୋଇଥିବାରୁ ସାଧାରଣତଃ ସେଠାକୁ କେହି ଯାଆନ୍ତି ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ଗୃହମନ୍ତ୍ରୀ ଜାନେନ୍ଦ୍ର କହିଥିଲେ। ଘଟଣାକୁ ନେଇ ବିରୋଧୀ କଂଗ୍ରେସର ସମାଲୋଚନା ସମ୍ପର୍କରେ ଜାନେନ୍ଦ୍ର କହିଥିଲେ, ବିରୋଧୀ କଂଗ୍ରେସ ମୋତେ ବଳାତ୍କାର କରିବାକୁ ଉଦ୍ୟମ କରୁଛନ୍ତି। ରାଜନୈତିକ ଫାଇଦା ପାଇଁ ସେମାନେ ଏଭଳି କରୁଛନ୍ତି। ଏହା ଅମାନବୀୟ କାର୍ଯ୍ୟ।

ତେବେ ଗଣବଳାତ୍କାର ସମ୍ପର୍କରେ ଗୃହମନ୍ତ୍ରୀଙ୍କ ମନ୍ତବ୍ୟରେ ଏକମତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି।

Share