Categories: ଜାତୀୟ

ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟି ମନା

ବେଙ୍ଗାଲୁରୁ,୪।୪:କର୍ନାଟକରେ ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟିରୁ ବାଦ୍‌ ଦିଆଯିବ ବୋଲି କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ହିଜାବ ପିନ୍ଧିଥିବା ସ୍କୁଲ ଏବଂ କଲେଜ ଶିକ୍ଷୟତ୍ରୀମାନଙ୍କୁ ପ୍ରି-ୟୁନିଭରସିଟି (ପିୟୁ) ପରୀକ୍ଷା ଡ୍ୟୁଟିିରେ ରଖାଯିବ ନାହିଁ। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ନିଶ୍ଚିତ କରିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ପାଇଁ କୌଣସି ଡ୍ରେସ କୋଡ ନାହିଁ। ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ହଲ ଭିତରେ ହିଜାବ ଅନୁମତି ନାହିଁ। ହିଜାବ ପିନ୍ଧିବାକୁ ଜିଦ ଧରିଥିବା ଶିକ୍ଷୟତ୍ରୀମାନଙ୍କୁ ନ ପିନ୍ଧିବା ପାଇଁ ଆମେ ବାଧ୍ୟ କରିପାରିବୁ ନାହିଁ। ଏହିପରି ଶିକ୍ଷୟତ୍ରୀମାନଙ୍କୁ ପରୀକ୍ଷା ଡ୍ୟୁଟିରୁ ବାଦ୍‌ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, କର୍ନାଟକରେ ଏବେ ଏସଏସଏଲସି ପରୀକ୍ଷା ଚାଲିଛି ଏବଂ ଏପ୍ରିଲ ମଧ୍ୟଭାଗରେ ଶେଷ ହେବ ଏବଂ ପ୍ରି-ୟୁନିଭରସିଟି (ପିୟୁ) ପରୀକ୍ଷା ଏହି ମାସ ଶେଷରେ ଆରମ୍ଭ ହେବ। ଗତ ସପ୍ତାହରେ, ମହୀଶୁର ଜିଲାର ଏସଏସଏଲସି ପରୀକ୍ଷା ଯାଞ୍ଚ କାର୍ଯ୍ୟ ପାଇଁ ପ୍ରସ୍ତୁତ ଜଣେ ଶିକ୍ଷୟତ୍ରୀଙ୍କୁ ହିଜାବ ପିନ୍ଧିବାକୁ ଜିଦ କରିବା ପରେ ତାଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଥିଲା।

Share