କଟକରୁ ବାବାଙ୍କୁ ଧରିଲା କର୍ନାଟକ ପୋଲିସ

କଟକ ଅଫିସ୍‌,୨୦।୯(କାର୍ତ୍ତିକ ସାହୁ): କର୍ନାଟକର ଜଣେ ଶିଳ୍ପପତିଙ୍କୁ ଭାଜପା ବିଧାୟକ ଟିକେଟ ପ୍ରଦାନ କରିବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ କର୍ନାଟକ ପୋଲିସ ସୋମବାର ରାତିରେ କଟକରୁ ଜଣେ ଫେରାର ବାବାଙ୍କୁ ଗିରଫ କରିଛି। ଗିରଫ ବାବା ଅଭିନବ ହାଲ୍‌ଶ୍ରୀ ଭୁବନେଶ୍ୱରରୁ ଟ୍ରେନ୍‌ରେ ବୋଧଗୟା ଯାଉଥିବା ସମୟରେ କର୍ନାଟକର ସିଟି ସେଣ୍ଟ୍ରାଲ୍‌ କ୍ରାଇମ୍‌ ବ୍ରାଞ୍ଚର ଏକ ଟିମ୍‌ ଗିରଫ କରିଛି। ଅଭିଯୁକ୍ତଙ୍କୁ ମଙ୍ଗଳବାର ବେଙ୍ଗାଲୁରୁ କୋର୍ଟରେ ହାଜର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କର୍ନାଟକର ବାଇନ୍ଦୁରୁ ବିଧାନସଭା ଆସନ ପାଇଁ ଗତ ନିର୍ବାଚନରେ ଭାଜପା ଟିକେଟ କରାଇଦେବାକୁ କହି ଜଣେ ଶିଳ୍ପପତିଙ୍କ ଠାରୁ ଅଭିଯୁକ୍ତ ବାବା ହାଲ୍‌ଶ୍ରୀ ଦେଢ଼ କୋଟି ନେଇଥିଲେ। ଏହି ଠକେଇରେ ହାଲ୍‌ଶ୍ରୀଙ୍କୁ ଏକ ର଼୍ୟାକେଟ ସହଯୋଗ କରିଥିଲା। ର଼୍ୟାକେଟର ମୁଖ୍ୟ ଚୈତ୍ର କୁନ୍ଦାପୁରା ଥିଲେ। ଟିକେଟ ନ ମିଳିବାରୁ ଠକାମିର ଶିକାର ହୋଇଥିବା ଜାଣି ଶିଳ୍ପପତି ଜଣକ ଗତ ୮ତାରିଖରେ ଉଦୁପି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଗତ ୧୨ତାରିଖରେ ଉଦୁପିରୁ କୁନ୍ଦାପୁରାଙ୍କୁ ଗିରଫ କରିଥିବାବେଳେ ହାଲ୍‌ଶ୍ରୀ ଫେରାର ହୋଇଯାଇଥିଲେ। ସେ ସେଠାରୁ ପ୍ରଥମେ ହାଇଦ୍ରାବାଦ୍‌ ପରେ ଫାରୁକାବାଦ୍‌, ପୁରୀ, କୋଣାର୍କ ଏବଂ ଶେଷରେ କାଶୀ ଚାଲିଯିବାକୁ ଯୋଜନା କରିଥିଲେ। ହାଲ୍‌ଶ୍ରୀ ଗିରଫ ହେବା ପରେ ଏହି ର଼୍ୟାକେଟରେ ସମ୍ପୃକ୍ତ ଭାଜପାର ଆଉ କିଛି ବଡ଼ବଡ଼ିଆ ନେତାଙ୍କ ସମ୍ପର୍କରେ ଜଣାପଡ଼ିବ ବୋଲି କୁନ୍ଦାପୁରା ଗିରଫ ହେବା ପରେ ପୋଲିସ ନିକଟରେ ସୂଚନା ଦେଇଥିଲେ।