Categories: ଜାତୀୟ

ହିଜାବ ବିବାଦ ମଧ୍ୟରେ ବୁଧବାରରୁ ଖୋଲିବ କଲେଜ-ବିଶ୍ୱବିଦ୍ୟାଳୟ

ବେଙ୍ଗାଲୁରୁ,୧୪।୨: କର୍ନାଟକରେ ହିଜାବ ବିବାଦ ମଧ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ପୁଣି ଥରେ ଖୋଲିବା ପାଇଁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି.ସି ନାଗେଶ ଏନେଇ ସୋମବାର ଘୋଷଣା କରିଛନ୍ତି। ଫେବୃଆରୀ ୧୬ରୁ ପ୍ରି-ୟୁନିଭର୍ସିଟି ଏବଂ ଡିଗ୍ରୀ କଲେଜଗୁଡ଼ିକୁ ପୁଣିଥରେ ଖୋଲାଯିବ। ଏହାପୂର୍ବରୁ, ଫେବୃଆରୀ ୧୪ରୁ ରାଜ୍ୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସୂଚନାମୁତାବକ ସୋମବାରଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଛି। ଅନ୍ୟପଟେ ମାଣ୍ଡିଆ ଜିଲାର ଏକ ବିଦ୍ୟାଳୟର ପ୍ରବେଶ ଦ୍ୱାରରେ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କ୍ୟାମ୍ପସରେ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। ହିଜାବ ହଟାଇବା ପରେ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବରରୁ କର୍ନାଟକର ଉଡୁୁପିରୁ ଏହି ମାମଲା ଆରମ୍ଭ ହୋଇଥିଲା। ଏହାପରେ ହିଜାବ ପିନ୍ଧିବା ଯୋଗୁ କେତେକ ଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନ ଥିଲା। ଏହାକୁ ନେଇ ରାଜ୍ୟରେ ବହୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ଏବଂ ନିକଟରେ ରାଜ୍ୟ ସରକାର ବିଦ୍ୟାଳୟ ଓ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

Share