Categories: ଖେଳ

କର୍ନାଟକ ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଆକ୍ୱାଟିକ୍‌ ସେଣ୍ଟରରେ ଜାତୀୟ ଜୁନିୟର ଏବଂ ସବ୍‌ଜୁନିୟର ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ମୋଟ ୧୧୯ଟି ପଦକ ଜିତି କର୍ନାଟକ ଓଭରଅଲ୍‌ ଚାମ୍ପିୟନ ହୋଇଛି। ଏହା ମଧ୍ୟରେ ୫୦ ସ୍ବର୍ଣ୍ଣ, ୪୭ ରୌପ୍ୟ ଓ ୨୭ ବ୍ରୋଞ୍ଜ ପଦକ ସାମିଲ। ମହାରାଷ୍ଟ୍ର ୫୪ଟି ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ରାଜ୍ୟର ପ୍ରତିଯୋଗୀମାନେ ୧୧ ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୧୯ ବ୍ରୋଞ୍ଜ ପଦକ ପାଇଛନ୍ତି। ତାମିଲନାଡ଼ୁ ୧୦ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୮ ବ୍ରୋଞ୍ଜ ସହ ମୋଟ ୩୭ଟି ପଦକ ପାଇ ତୃତୀୟ ସ୍ଥାନ ଅଧିକାର କରିଛି। ବାଳିକା ବର୍ଗରେ ଭ୍ରିତ୍ତି ଅଗ୍ରଓ୍ବାଲ, ତନିଶି ଗୁପ୍ତା ଓ ସନିଧି ମୁଖାର୍ଜୀ ଏବଂ ବାଳକରେ ୟୁଗ୍‌ ଚେଲାନି, ଇଶାନ ମେହେରା ଓ ଅବଦୁଲ ହାଫିଜ ନିଜ ନିଜ ଏଜ୍‌ ଗ୍ରୁପ୍‌ରେ ଶ୍ରେଷ୍ଠ ସନ୍ତରଣକାରୀ ବିବେଚିତ ହୋଇଛନ୍ତି।
ପ୍ରତିଯୋଗିତାର ଶେଷ ଦିବସରେ ୪ଟି ଜାତୀୟ ରେକର୍ଡ ସୃଷ୍ଟି ହୋଇଛି। ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଗ୍ରୁପ୍‌-୧ ବାଳିକାରେ ମହାରାଷ୍ଟ୍ରର ପଲକ ଜୋଶି ୨:୨୧.୩୮ ସେକେଣ୍ଡ ସମୟ ନେଇ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ତାଙ୍କୁ ଚ୍ୟାଲେଞ୍ଜ ଦେଇଥିବା କର୍ନାଟକର ରିଧିମା ବୀରେନ୍ଦ୍ର କୁମାର ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ଏଠାରେ ସ୍ବର୍ଣ୍ଣ ଜିତିବା ପଥରେ ପଲକ ୨୦୧୫ରେ ମାନ୍ନା ପଟେଲ (୨:୨୧.୪୮) ରେକର୍ଡକୁ ଭାଙ୍ଗିଛନ୍ତି। ସେହିପରି ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଗ୍ରୁପ-୨ ବାଳକରେ କର୍ନାଟକର ବେଦାନ୍ତ ଭି. ମଧିର ୨:୧୧.୭୪ ସେକେଣ୍ଡ ସମୟ ନେଇ ପୂର୍ବରୁ ଆର୍ଯ୍ୟନ ଭୋସାଲେଙ୍କ ନାମରେ ଥିବା ରେକର୍ଡକୁ ଭଙ୍ଗ କରିଛନ୍ତି। କର୍ନାଟକର ତନିଶି ଗୁପ୍ତା ଓ ଧିନିଧି ଦେସିଙ୍ଘୁଙ୍କ ମଧ୍ୟରେ ଅନ୍ତିମ ଦିବସରେ ମଧ୍ୟ କଡ଼ା ଟକ୍କର ହୋଇଥିଲା। ୫୦ ମିଟର ବଟରଫ୍ଲାଏ ଗ୍ରୁପ୍‌-୨ ବାଳିକାରେ ତନିଶି ୨୮.୫୨ ସେକେଣ୍ଡ ନେଇ ସ୍ବର୍ଣ୍ଣ ଓ ଧିନିଧି ୨୮.୭୧ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ପାଇଥିଲେ। ଚଳିତ ଦିବସର ପ୍ରାରମ୍ଭରେ ହିଟ୍‌ରେ ତନିଶି ୨୮.୮୬ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡର ଅଧିକାରୀ ହୋଇଥିବାବେଳେ ଫାଇନାଲ୍ସରେ ଉଭୟ ଖେଳାଳି ସେହି ଟାଇମିଂରେ ଉନ୍ନତି ଆଣିଥିଲେ।

ଗତବର୍ଷଠାରୁ କିନ୍ତୁ ଧିନିଧି ଏହି ଇଭେଣ୍ଟରେ ରେକର୍ଡର ଅଧିକାରୀ ଥିଲେ। ୨୦୦ ମିଟର ଫ୍ରିଷ୍ଟାଇଲ ଗ୍ରୁପ୍‌-୨ ବାଳିକାରେ କିନ୍ତୁ ଧିନିଧି ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ସେ ୨:୦୫.୬୨ ସେକେଣ୍ଡ ସମୟ ନେଇଛନ୍ତି। ୨୦୧୯ରେ ବଭ୍ୟା ସଚଦେବା ୨:୧୦.୮୧ ସେକେଣ୍ଡ ସମୟ ନେଇ ରେକର୍ଡର ଅଧିକାରୀ ଥିଲେ। କଳିଙ୍ଗ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ପ୍ରfତିଯୋଗିତାରେ ମୋଟ ୧୯ଟି ଜାତୀୟ ରେକର୍ଡ ସୃଷ୍ଟି ହୋଇଥିଲା।

ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥିଭାବେ ଯୋଗ ଦେଇଥିଲେ। ”ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ର ଉଦ୍‌ଯାପନୀରେ ଯୋଗଦେଇ ମୁଁ ପ୍ରକୃତରେ ସମ୍ମାନିତ। ଆଥଲେଟ୍‌ ଓ ସନ୍ତରଣକାରଙ୍କ ପରିବାରବର୍ଗ ନୂଆ ଆକ୍ୱାଟିକ୍‌ ସେଣ୍ଟର ସୁବିଧା ସୁଯୋଗ ଏବଂ ଓଡ଼ିଶାର ଆତିଥେୟତାକୁ ନିଶ୍ଚିତ ଉପଭୋଗ କରିଥିବେ ବୋଲି ଆଶା। ପ୍ରତିଯୋଗିତାରେ ୧୯ଟି ଜାତୀୟ ରେକର୍ଡ ସୃଷ୍ଟି ହୋଇଥିବା ଜାଣି ମୁଁ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଏହି ସେଣ୍ଟର ପ୍ରସ୍ତୁତ ହୋଇଛି ଏବଂ ସନ୍ତରଣକାରୀଙ୍କ ପାଇଁ ଉତ୍ସର୍ଗ ହୋଇଛି। ସନ୍ତରଣର ବିକାଶ ଏବଂ ଭବିଷ୍ୟତର ଚାମ୍ପିୟନ ଗଢ଼ିବା ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ“ ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି।

Share