କର୍‌ନି ସେନା ଅଧ୍ୟକ୍ଷଙ୍କୁ ଘରେ ପଶି ହତ୍ୟା ଘଟଣା: ଧରାପଡ଼ିଲେ ୨ ଶୁଟର୍‌ ସମେତ ୩ ଅଭିଯୁକ୍ତ

ଜୟପୁର,୧୦।୧୨: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍‌ନି ସେନା ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗମେଦିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ଦିଲ୍ଲୀ ଏବଂ ରାଜସ୍ଥାନ ପୋଲିସ ଚଣ୍ଡିଗଡ଼ର ଏକ ହୋଟେଲରୁ ୨ଜଣ ଶୁଟର୍‌ଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରୋହିତ ରାଠୋର, ନୀତିନ ଫାଉଜି ଏବଂ ଉଧମ୍‌।

ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ଅପରାଧ ଘଟାଇବା ପରେ ରୋହିତ ଏବଂ ନୀତିନ କ୍ରମାଗତ ଭାବେ ନିଜର ସ୍ଥାନ ପରିବର୍ତ୍ତନ କରୁଥିଲେ। ଜୟପୁରରେ ସୁଖଦେବଙ୍କୁ ହତ୍ୟା କରିବା ପରେ ସେମାନେ ହରିୟାଣାର ହିସାରରେ ପହଞ୍ଚିଥିଲେ। ପରେ ପୁଣି ବସ୍‌ ଯୋଗେ ମନାଲୀକୁ ଚାଲିଯାଇଥିଲେ। ସେଠାରୁ ପୁଣି ଚଣ୍ଡିଗଡ଼ରେ ପହଞ୍ଚିଥିଲେ। ଭୁଲବଶତଃ ସେମାନେ ମୋବାଇଲ ଫୋନ ଅନ୍‌ ରଖିଥିବାରୁ ପୋଲିସ ଚଣ୍ଡିଗଡ଼ରେ ପହଞ୍ଚି ସହଜରେ ତାଙ୍କୁ କାବୁ କରିବାରେ ସଫଳ ହୋଇଛି।

ଅଭିଯୁକ୍ତମାନେ ସୁଖଦେବଙ୍କୁ ୧୭ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେମାନେ ବନ୍ଧୁକ ଲୁଚାଇ ଦେଇଥିଲେ। ରାସ୍ତାରେ ତାଙ୍କ ପାଖରେ କେବଳ ଟଙ୍କା ଏବଂ ମୋବାଇଲ ଥିଲା। ଏହାଦ୍ୱାରା କେହି ତାଙ୍କୁ ସନ୍ଦେହ କରିବେ ନାହିଁ ବୋଲି ସେମାନେ ଭାବିଥିଲେ। ତେବେ ସେମାନେ ବିରେନ୍ଦ୍ର ଚହାନ ଏବଂ ଦାନାରାମଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ଏହି ଦୁଇଜଣଙ୍କ ନିର୍ଦ୍ଦେଶରେ ସେ ସୁଖଦେବଙ୍କୁ ହତ୍ୟା କରିଥିଲେ।

କହିରଖୁଛୁ, ସୁଖଦେବ ଘରେ ଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ନବୀନ ଶେଖାଓ୍ବତ ଥିଲା। ତେବେ ପାଲଟା ଗୁଳି ଚାଳନାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା।

Share