ସମ୍ବଲପୁର,୭।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲାରେ କଟକଣା କଡାକଡି କରାଯାଇଛି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବୁଧବାର ମାସ୍କ ଚେକିଂ କରାଯାଇଥିଲା। ଏହାସହ ଦୋକାନବଜାରରେ ପୋଲିସ ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରି କିଣାବିକା କରିବାକୁ ଅନୁରୋଧ କରିଥିଲା। କେକେତ ସ୍ଥାନରେ ଏହାକୁ ନେଇ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଥିଲା। ସମ୍ବଲପୁର ଏସ୍ପି ବାତୁଲା ଗଙ୍ଗାଧର କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ସରକାର କଟକଣା ଜାରି କରିଛନ୍ତି। ଏହାକୁ ସମସ୍ତେ ମାନିବା ଆବଶ୍ୟକ। ପ୍ରାୟ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ପୋଲିସ ଯାଞ୍ଚ ପ୍ରକ୍ରିୟା କଡାକଡି ହେବା। ମାସ୍କ ନ ପିନ୍ଧିଲେ ଲୋକଙ୍କୁ ଜରିମାନା ଦେବାକୁ ପଡିବ। ଏହା ସହ ଦୋକାନ ବଜାର ଓ ବ୍ୟବସାୟ ସ୍ଥଳରେ କର୍ମଚାରୀ ଓ ଗ୍ରାହକଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ହେବ। ଏଥିରେ ବ୍ୟତିକ୍ରମ ହେଲେ ଜରିମାନା ଅଦାୟ ସହ ଆବଶ୍ୟକ ପଡିଲେ ଦୋକାନ ସିଲ୍ କରାଯିବ।