ଭୁବନେଶ୍ୱର, ୨୪।୫(ବ୍ୟୁରୋ): କରୋନା ସଂକ୍ରମଣର ଚେନ୍ରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଘରକୁ ଘର ବୁଲି ସର୍ଭେ ଆରମ୍ଭ ହେବ। ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ୩ ମାସ ପାଇଁ ସାରା ରାଜ୍ୟରେ ଏହି ସର୍ଭେ ଚାଲିବ। ଏଥିରେ ଆଶା ଓ ଏଏନ୍ଏମ୍ମାନେ ସାମିଲ ହୋଇ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଓ ଜଟିଳ ଥିବା ରୋଗୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ। ଏଥିପାଇଁ ସେମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ। ଏ ନେଇ ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ କିପରି କରାଯିବ ସେ ନେଇ ଏକ ସର୍ତ୍ତାବଳୀ ଜାରି ହୋଇଥିଲା।