ନୂଆଦିଲ୍ଲୀ, ୧୨ା୩ (ପି.ଟି.)-କୋଭିଡ୍ ଟେଷ୍ଟରେ ଭାରତୀୟ ଫୁଟ୍ବଲ ଟିମ୍ ଅଧିନାୟକ ତଥା ଷ୍ଟାର ଷ୍ଟ୍ରାଇକର ସୁନୀଲ ଛେତ୍ରୀ କରୋନା ପଜିଟିଭ ବୋଲି ଜଣାପଡ଼ିଛି। ଫଳରେ ସେ ଦୁବାଇରେ ମାର୍ଚ୍ଚ ୨୫ରେ ଖେଳାଯିବାକୁ ଥିବା ଓମାନ ବିପକ୍ଷ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ସେ ଆହୁରି ମଧ୍ୟ ସମାନ ଭେନ୍ୟୁରେ ମାର୍ଚ୍ଚ ୨୯ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ନ ଖେଳିପାରନ୍ତି। ସେ ଭଲ ଅନୁଭବ କରୁଥିବା କହିଛନ୍ତି। ୩୬ ବର୍ଷୀୟ ଏହି ଫୁଟ୍ବଲର ଗୋଆରେ ଜୈବସୁରକ୍ଷିତ ବବଲରେ ରହି ଗତ ମାସ ଶେଷ ପର୍ଯ୍ୟନ୍ତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ରେ ଖେଳି ଆସୁଥିଲେ। ବେଙ୍ଗାଲୁରୁ ଏଫ୍ସି ସେମିଫାଇନାଲରେ ପ୍ରବେଶ କରି ନ ପାରିବାରୁ ପ୍ରତିଯୋଗିତାରେ ତାଙ୍କ ଅଭିଯାନ ଶେଷ ହୋଇଯାଇଥିଲା। ତାଙ୍କ ଦଳର ଶେଷ ଗେମ୍ ଫେବୃୟାରୀ ୨୫ରେ ଖେଳାଯାଇଥିଲା। ଏହି ମ୍ୟାଚରେ ସେ ଗୋଟିଏ ଗୋଲ ସ୍କୋର କରିଥିଲେ। ଲିଗ୍ ପର୍ଯ୍ୟାୟ ଶେଷରେ ବେଙ୍ଗାଲୁରୁ ଏଫ୍ସି ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଥିଲା।