ଭଦ୍ରକ ଅଫିସ, ୨୨।୭: ଭଦ୍ରକ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସାଧାରଣ ଲୋକେ ଆକ୍ରାନ୍ତ ହେବା ସାଙ୍ଗକୁ ବହୁ ସରକାରୀ କର୍ମଚାରୀ ଓ କରୋନା ଯୋଦ୍ଧା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। କରୋନା ଯୋଦ୍ଧା ଅର୍ଥାତ ପୋଲିସ ଅଧିକାରୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଭଦ୍ରକ ଜିଲା ଧାମନଗର ଥାନାର କାର୍ଯ୍ୟରତ କେତେଜଣ ପୋଲିସ ଆକ୍ରାନ୍ତ ଥିବାବେଳେ ଚାନ୍ଦବାଲି ବ୍ଲକ ବାଂଶଡା ଥାନାର କର୍ମଚାରୀ ଏବେ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ବାଂଶଡା ସରପଞ୍ଚ ପ୍ରଶାନ୍ତି ଦାସ ପଞ୍ଚାୟତବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ସକାଳ ୭ଟାରୁ ୨୩ ତାରିଖ ସନ୍ଧ୍ୟା ୭ଟା ଅର୍ଥାତ୍ ୩୬ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଞ୍ଚାୟତକୁ ଶଟ୍ଡାଉନ ଘୋଷଣା କରିଛନ୍ତି।