ବାରିପଦା ଅଫିସ,୧୧।୮: ମୟୂରଭଞ୍ଜ ଜିଲାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଯେଉଁ ଗରିବ ପରିବାରରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲା ବାରିପଦା ମ୍ୟୁନସିପାଲିଟି ଅଧୀନ ୧୬ନଂ. ଓ୍ବାର୍ଡର ପରେଡ଼ ପଡ଼ିଆ ସାହିରେ ଦେଖିବାକୁ ମିଳିଛି। ଏହି ସାହିର ଏକ ପରିବାରର ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଘରେ ଥିବା ୨ଶିଶୁ ଜଣେ ୧୪ ବର୍ଷର ନାବାଳିକା ଅସହାୟ ହୋଇପଡ଼ିଛନ୍ତି। ଘରେ ଖାଇବାକୁ ଦାନା ନ ଥିବା ବେଳେ ଆତ୍ମୀୟ ସ୍ବଜନମାନେ ମୁହଁ ଫେରାଇ ନେଇଛନ୍ତି। କରୋନାକୁ ଡରି ସାହିପଡ଼ିଶା ଦୂରେଇ ଯାଇଥିବା ବେଳେ ୩ ନାବାଳକ କବାଟ ବନ୍ଦ କରି ରହୁଛନ୍ତି। ଦିନତମାମ ସେମାନେ ଭୋକ ଉପାସରେ ଛଟପଟ ହୋଇ ରହୁଥିବା ଖବର ପ୍ରଶାସନ ପାଖରେ ପହଞ୍ଚିପାରି ନାହିଁ। ଏପରିକି ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ନେଉଥିବା ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଉଦବେଗର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଗତ ରବିବାର ପରିବାରର ମୁଖ୍ୟ ମାଆ, ଜଣେ ପୁଅ ଓ ଦୁଇ ଝିଅଙ୍କୁ ମିଶାଇ ୪ ଆକ୍ରାନ୍ତଙ୍କୁ ପ୍ରଶାସନ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିଛି। ଆକ୍ରାନ୍ତଙ୍କ ବଡ଼ ଝିଅ କୋଲକାତାରୁ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା ା ତାଙ୍କର ସ୍ବାବ୍ ପରୀକ୍ଷା ପରେ ପଜିଟିଭ୍ ବାହାରିଥିଲା। ମାତ୍ର ତାଙ୍କ ଦୁଇ ଶିଶୁ ସନ୍ତାନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ବାପ ଘର ଲୋକଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ମାଆ, ଭାଇ ଓ ଜଣେ ଭଉଣୀର ପଜିଟିଭ୍ ଆସିବା ପରେ ପ୍ରଶାସନ ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍କୁ ପଠାଇଦେଇଛି। ତେବେ ଉକ୍ତ ଗରିବ ପରିବାରରେ ଦୁଇ ଶିଶୁଙ୍କ ଦେଖାଶୁଣା ପାଇଁ ନାବାଳିକା ମାଉସୀଙ୍କ ବ୍ୟତୀତ ଆଉ କେହି ନାହାନ୍ତି। ପରିବାର ଲୋକେ ହସ୍ପିଟାଲରୁ ଫେରିବା ପର୍ଯ୍ୟନ୍ତ ସେମାନେ କ’ଣ ଖାଇବେ ଓ କିପରି ରହିବେ ତାହା ଏବେ ପ୍ରଶ୍ନବାଚୀ।
ଉଲ୍ଲେଖଯୋଗ୍ୟ ଯେ, ବାରିପଦା ପିଆରଏମ୍ ମେଡିକାଲ ଓ ଡାକ୍ତରଖାନା ସନ୍ନିକଟରେ ଥିବା ଜଣେ ଅସହାୟ ମହିଳାଙ୍କ ଗର୍ଭଯନ୍ତ୍ରଣା ସାଙ୍ଗକୁ ‘କରୋନାଠୁ ବଳିଯାଉଛି ଯନ୍ତ୍ରଣା’ ଆକ୍ରାନ୍ତ ଶୀର୍ଷକ ଖବର ଧରିତ୍ରୀରେ ପ୍ରଥମେ ପ୍ରକାଶ ପାଇଥିଲା ା ଏହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଭୂବନେଶ୍ୱର ସ୍ଥିତ ଏକ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରାଇଥିବା ବେଳେ ଅଗଷ୍ଟ ୧୫ତାରିଖ ଦିନ ତାଙ୍କର ପ୍ରସବ ହେବ ବୋଲି ଜଣାଇଛନ୍ତି। ସେହିପରି ସୋମବାର ଆକ୍ରାନ୍ତ ମହିଳାଙ୍କ ଭାଇଙ୍କୁ ମଧ୍ୟ ଭୁବନେଶ୍ୱରସ୍ଥିତ ଉକ୍ତ କୋଭିଡ୍ ହସ୍ପିଟାଲକ ସ୍ଥାନାନ୍ତର କରାଯାଇଥିବାରୁ ପରିବାରର ଜଣଙ୍କୁ ନିକଟରେ ପାଇ ଗର୍ଭବତୀ ମହିଳା ଜଣକ ଆଶ୍ୱସ୍ତି ଲାଭ କରିଛନ୍ତି ା