Categories: ଜାତୀୟ

ନଭେମ୍ବର ୧୭ରୁ ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ,୧୬।୧୧:ଶ୍ରୀ ଗୁରୁ ନାନକ ଦେବ ଜୀଙ୍କର ପ୍ରକାଶ ପର୍ବ ପୂର୍ବରୁ କେନ୍ଦ୍ର ସରକାର କରତାରପୁର କରିଡର ଖୋଲିବାକୁ ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଟୁଇଟ୍‌ କରି ଏହି ଖୁସି ଦେଇଛନ୍ତି। ସେ କହିଛନ୍ତି, ବହୁ ସଂଖ୍ୟାରେ ଶିଖ ତୀର୍ଥଯାତ୍ରୀଙ୍କୁ ଉପକୃତ କରୁଥିବା ଏକ ବଡ଼ ନିଷ୍ପତ୍ତି ନେଇ ସରକାର ଆସନ୍ତା ନଭେମ୍ବର ୧୭ ତାରିଖରୁ କରତାରପୁର ସାହିବ କରିଡର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଶ୍ରୀ ଗୁରୁ ନାନକ ଦେବ ଜୀ ଏବଂ ଆମର ଶିଖ ସମ୍ପ୍ରଦାୟ ପ୍ରତି ମୋଦି ସରକାରଙ୍କ ଅପାର ସମ୍ମାନକୁ ଦର୍ଶାଉଛି ବୋଲି ସେ କହିଛନ୍ତି।
ଏହାପୂର୍ବରୁ ମଙ୍ଗଳବାର ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶିଖ ସମ୍ପ୍ରଦାୟର ଭାବନାକୁ ସମ୍ମାନ ଜଣାଇ ନଭେମ୍ବର ୧୯ ପୂର୍ବରୁ କରତାରପୁର କରିଡର ଖୋଲିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଥିଲେ। ପଞ୍ଜାବ ଭାଜପା ନେତାଙ୍କ ଏକ ଟିମ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟି ଏହି ଦାବି ଉଠାଇଥିଲେ।
କରତାରପୁର କରିଡର ମାଧ୍ୟମରେ ପାକିସ୍ତାନର କରତାରପୁର ସହର ପଞ୍ଜାବର ଗୁରୁଦାସପୁର ଜିଲାର ଡେରା ବାବା ନାନକ ସହିତ ସଂଯୁକ୍ତ ହୋଇଛି। ଭାରତ ସୀମାଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଥିବା ପାକିସ୍ଥାନର ପଞ୍ଜାବ ପ୍ରଦେଶର ରବି ନଦୀ କୂଳରେ ଅବସ୍ଥିତ ଶ୍ରୀ କରତାରପୁର ସାହିବ ଗୁରୁଦ୍ୱାର ଶିଖମାନଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥାନ ଅଟେ। ଏହା ଲାହୋରଠାରୁ ୧୨୦ କିଲୋମିଟର ଦୂରରେ ଅବସ୍ଥିତ। ଗୁରୁ ନାନକଙ୍କ ମାତାପିତା ମଧ୍ୟ ଏଠାରେ ମୃତ୍ୟୁବରଣ କରିଥିଲେ। ଏଠାରେ ବାବା ନାନକ ତାଙ୍କ ଜୀବନର ଶେଷ ସମୟ ଅତିବାହିତ କରିଥିଲେ। ଏଠାରେ ସେ ନିଜ ହାତରେ ୧୭ ବର୍ଷ ୫ ମାସ ୯ ଦିନ ଚାଷ କରିଥିଲେ।

Share