Categories: ଖେଳ

ଶୁବମନଙ୍କ ଉପରେ କାର୍ତ୍ତିକଙ୍କ ଭରସା

ଆବୁଧାବି, ୨୩।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କୋଲକାତା ନାଇଟ ରାଇଡର୍ସ ବୁଧବାର ଏହାର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି। ସମ୍ମୁଖରେ ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଥିବାରୁ ଦଳ ପାଇଁ ଭଲ ଆରମ୍ଭ କରିବା ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏପରି ସ୍ଥଳେ ପ୍ରତିଭା ସମ୍ପନ୍ନ ଶୁବମନ ଗିଲ୍‌ଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି ଅଧିନାୟକ ଦୀନେଶ କାର୍ତ୍ତିକ। ଗତ ସଂସ୍କରଣରେ ଶୁବମନଙ୍କୁ ଅଧିକ ସୁଯୋଗ ମିଳି ନ ଥିଲା। ମାତ୍ର ଏଥର ତାଙ୍କୁ ଓପନିଂ ଦାୟିତ୍ୱ ଦିଆଯିବ ବୋଲି କୋଚ୍‌ ବ୍ରେଣ୍ଡନ ମ୍ୟାକକୁଲମ ସ୍ପଷ୍ଟ କରି ସାରିଛନ୍ତି। ” ଶୁବମନ ଜଣେ କ୍ୱାଲିଟି ଖେଳାଳି। ତାଙ୍କ ନିକଟରୁ ଅନେକ କିଛି ଆଶା ରହିଛି। ଆଶା ଅନୁସାରେ ସେ ପ୍ରଦର୍ଶନ କରିପାରିବା ନେଇ ମୁଁ ଦୃଢ଼ ଆଶାୟୀ“ ବୋଲି କାର୍ତ୍ତିକ କହିଛନ୍ତି। ୨୧ ବର୍ଷୀୟ ଗିଲ୍ ଓ ସୁନୀଲ ନାରିନ ଇନିଂସ ଓପନ କରିବେ ବୋଲି ସେ ସୂଚନା ଦେଇଛନ୍ତି। ପୁନର୍ଗଠିତ ନାଇଟ ରାଇଡର୍ସ ଦଳରୁ ଚୂଡ଼ାନ୍ତ ଏକାଦଶ ବାଛିବା ସହଜ ନୁହେଁ ବୋଲି କାର୍ତ୍ତିକ ସ୍ବୀକାର କରିଛନ୍ତି। ଦଳରେ ଅନେକ ଦକ୍ଷ ଖେଳାଳି ଚୟନ ପାଇଁ ପ୍ରସ୍ତୁତ ଅଛନ୍ତି। ଚୂଡ଼ାନ୍ତ ଏକାଦଶ ବାଛିବା କଷ୍ଟସାଧ୍ୟ ଥିଲେ ହେଁ ଏହା ଦଳ ପାଇଁ ଶୁଭ ବୋଲି ସେ କହିଛନ୍ତି।
ଗତ ସଂସ୍କରଣରେ ନାଇଟ ରାଇଡର୍ସ ଭଲ ଆରମ୍ଭ କରି ୫ ମ୍ୟାଚରୁ ୪ଟିରେ ବିଜୟୀ ହୋଇଥିଲା। ମାତ୍ର ପରେ କ୍ରମାଗତ ୬ଟି ମ୍ୟାଚ ହାରି ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିଥିଲା। ଏଥର ନ୍ୟୁଜିଲାଣ୍ଡର ମ୍ୟାକକୁଲମଙ୍କ ନେତୃତ୍ୱରେ କୋଚିଂ ସେଟ୍‌ଅପ୍‌କୁ ପରିବର୍ତ୍ତନ କରାଯାଇଥିବାବେଳେ ଇଂଲଣ୍ଡର ବିଶ୍ୱକପ ବିଜୟୀ ଅଧିନାୟକ ଇଅନ ମୋର୍ଗାନ ଓ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସଙ୍କୁ ନିଆଯାଇ ଦଳକୁ ସନ୍ତୁଳିତ କରାଯାଇଛି। କୁମିନ୍ସ ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେବାକୁ ଯାଉଥିବାବେଳେ କେଉଁ ଭାରତୀୟ ବୋଲର ସୁଯୋଗ ପାଉଛନ୍ତି ତାହା ଦେଖିବାକୁ ବାକି ରହିଛି। କମଲେଶ୍‌ ନାଗରକୋଟି, ଶିବମ୍‌ ମାଭି, ପ୍ରସିଦ୍ଧ କ୍ରିଷ୍ଣା, ସନ୍ଦୀପ ଓ୍ବାରିୟର ଲାଇନ୍‌ରେ ଅଛନ୍ତି। ପ୍ରଥମ ୨ଟି ମ୍ୟାଚରେ ୧୬୦ ପାଖାପାଖି ସ୍କୋର ହୋଇଛି। ଚଳିତ ଆଇପିଏଲରେ ଏହି ସଂଖ୍ୟା ପ୍ରାୟତଃ ଦେଖିବାକୁ ମିଳିବ ବୋଲି ସେ ଆକଳନ କରିଛନ୍ତି। ଏହି ସ୍କୋରକୁ ଚେଜ୍‌ କରାଯାଇ ପାରିବ। ତେବେ ଅନେକ ମ୍ୟାଚରେ ବଡ଼ ସ୍କୋର ହେବା ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Share