ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର଼୍ୟାନ୍ ତାଙ୍କ ଆଗାମୀ ଫିଲ୍ମ ‘ଶେହଜାଦା’ର ପ୍ରମୋଶନକୁ ନେଇ ବ୍ୟସ୍ତ ଅଛନ୍ତି। ସେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଫିଲ୍ମର ପ୍ରମୋଶନ କରୁଛନ୍ତି। ଏହା ମଧ୍ୟରେ ଶାହରୁଖ ଖାନ୍ଙ୍କ ଫିଲ୍ମ ‘ପଠାନ’ ଭଳି ଦୁବାଇର ବୁର୍ଜ ଖଲିଫାରେ କାର୍ତ୍ତିକଙ୍କ ଫିଲ୍ମ ‘ଶେହଜାଦା’ର ଟ୍ରେଲର ଦେଖିବାକୁ ମିଳିଛି। ଏଥିନେଇ ସେ ତାଙ୍କ ସୋସିଆଲ ମିଡିଆରେ ଭିଡିଓ ଶେୟାର କରିଛନ୍ତି। ତେବେ କାର୍ତ୍ତିକଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଫେବୃୟାରୀ ୧୭ ଅର୍ଥାତ୍ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ଫିଲ୍ମ ପାଇଁ ପ୍ରି ବୁକିଂ ମଧ୍ୟ ଏହି ସପ୍ତାହ ପ୍ରାରମ୍ଭରୁ ଆରମ୍ଭ ହୋଇଯାଇଛି। ଏହାର ଡିଜିଟାଲ ଷ୍ଟ୍ରିମିଂ ଏବଂ ମ୍ୟୁଜିକ୍ ରାଇଟ୍ସ ବିକ୍ରୟ କରି ବଜେଟ୍ର ପାଖାପାଖି ୭୦ ପ୍ରତିଶତରୁ ଅଧିକ ରୋଜଗାର କରିସାରିଲାଣି। ରିପୋର୍ଟ ମୁତାବକ, ନିର୍ଦ୍ଦେଶକ ରୋହିତ ଧାୱନଙ୍କ ଫିଲ୍ମ ‘ଶେହନାଜ’ ୬୫ କୋଟି ବଜେଟ୍ରେ ପ୍ରସ୍ତୁତ କରାଯାଇଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମ୍ୟୁଜିକ୍ ରାଇଟ୍ସରେ ୧୦ କୋଟି, ସାଟେଲାଇଟ୍ସ ୧୫ କୋଟି, ଓଟିଟି ରାଇଟ୍ସ ଡିଜିଟାଲ ଷ୍ଟ୍ରିମିଂ ପାଇଁ ୪୦ କୋଟି ବିକ୍ରି ହୋଇଥିବା ଜଣାପଡ଼ିଛି। ତେବେ ଏହି ଫିଲ୍ମ ପାଇଁ କାର୍ତ୍ତିକ କୌଣସି ଫି’ ନେଇ ନ ଥିବା ଜଣାପଡ଼ିଛି। ଫିଲ୍ମରେ କାର୍ତ୍ତକଙ୍କ ସମେତ କୀର୍ତ୍ତି ସାନନ୍ ଜଣେ ଓକିଲ ଭୂମିକାରେ ନଜରକୁ ଆସିବେ। ଏଥିସହ ମନୀଷା କୋଇରାଲା, ପରେଶ ରାୱଲ, ରୋନିତ୍ ରୟ, ସନି ହିନ୍ଦୁଜା, ସାଲିନି କପୁର ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ କାର୍ତ୍ତିକ ଏବଂ କୀର୍ତ୍ତିଙ୍କୁ ୨ୟ ଥର ପାଇଁ ଏକାଠି ଦେଖିବାକୁ ମିଳିବ। ଏହା ପୂର୍ବରୁ ଦୁହେଁ ଏକାଠି ଫିଲ୍ମ ‘ଲୁକା ଛୁପି’ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ଅଲ୍ଲୁ ଅର୍ଜୁନଙ୍କ ତେଲୁଗୁ ଫିଲ୍ମ ‘ଆଲା ବୈକୁଣ୍ଠପୁରମଲ୍ଲୁ’ର ଅଫିସିଆଲ୍ ହିନ୍ଦୀ ରିମେକ୍।