Categories: ଖେଳ

ତୃତୀୟ ରାଉଣ୍ଡରେ କାସାଟକିନା

ଓ୍ବିମ୍ବେଲଡନ, ୬।୭: ବର୍ଷା ଯୋଗୁ କ୍ରମାଗତ ତୃତୀୟ ଦିବସରେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଅନେକ ମ୍ୟାଚ ବାଧାପ୍ରାପ୍ତ ହୋଇଛି। କେବଳ ଇନ୍‌ଡୋରରେ ଖେଳଗୁଡ଼ିକ ସମ୍ଭବ ହୋଇପାରିଛି। ଅଲ୍‌ ଇଂଲଣ୍ଡ କ୍ଲବର କେବଳ ସେଣ୍ଟର କୋର୍ଟ ଓ କୋର୍ଟ ନଂ-୧ରେ ଛାତ ଅଛି। ତେଣୁ ସେଠାରେ ଥିବା ଗ୍ରାସ୍‌କୋର୍ଟରେ ମ୍ୟାଚ ଖେଳାଯାଉଛି। ବୁଧବାର ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ଡାରିଆ କାସାଟକିନା ବିଜୟ ହାସଲ କରିଛନ୍ତି। ସେହିପରି ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି ସ୍ଲୋଆନେ ଷ୍ଟିଫେନ୍ସ। କାସାଟକିନା ୬-୦, ୬-୨ରେ ଜୋଡି ଆନା ବୁରାଗେଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଷ୍ଟିଫେନ୍ସ ୬-୨, ୬-୩ ସେଟ୍‌ରେ ରିବେକା ପିଟରସନଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ପ୍ରଥମ ରାଉଣ୍ଡ ମ୍ୟାଚଗୁଡ଼ିକ ମଧ୍ୟରେ ସୋରାନା ସିର୍ଷ୍ଟିଆ ୬-୧, ୨-୬, ୬-୩ରେ ଟାଟ୍‌ଜାନା ମାରିଆଙ୍କୁ ହରାଇଥିବାବେଳେ ଇଲିସାବେଟା କୋକିଆରେଟୋ ୬-୩, ୬-୪ରେ କାମିଲା ଓସୋରିଓଙ୍କୁ, ଆନେଟ କୋଣ୍ଟାଭେଟ ୬-୪, ୬-୪ରେ ଲୁକ୍ରେଜିଆ ଷ୍ଟିଫାନିନିଙ୍କୁ, ଜ୍ୟାକଲିନ କ୍ରିଷ୍ଟିଆନ ୬-୩, ୬-୪ରେ ଲୁସିଆ ବ୍ରୋଞ୍ଜେଟିଙ୍କୁ, ଡୋନା ଭେକିକ୍‌ ୬-୨, ୬-୩ରେ ଝାଙ୍ଗ୍‌ ଶୁଇଙ୍କୁ ପରାସ୍ତ କରିଛନ୍ତି।
ଡିମିଟ୍ରୋଭଙ୍କ ସହଜ ବିଜୟ
ପୁରୁଷ ସିଙ୍ଗଲ୍ସରେ ଗ୍ରିଗୋର ଡିମିଟ୍ରୋଭ୍‌ ସହଜ ବିଜୟ ସହ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ବୁଧବାର ସେ ଶୋ ଶିମାବୁକୁରୋଙ୍କୁ ୬-୧, ୬-୨, ୬-୧ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

 

Share