Categories: ଜାତୀୟ

କାଶୀ ବିଶ୍ୱନାଥ ମନ୍ଦିରର ଲୋକାର୍ପଣ କରିବେ ମୋଦି, କ’ଣ ରହିଛି ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୧୩ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ବାରାଣସୀ ଗସ୍ତରେ ଯାଇ ସାମବାର କାଶୀ ବିଶ୍ୱନାଥ ମନ୍ଦିରର ଶିଳାନ୍ୟାସ କରିବେ । ୧୩ ତାରିଖ ଅର୍ଥାତ୍ ସୋମବାର ଦିନ ପ୍ରାୟ ୧ଟା ବେଳେ ସେ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବେ ଏହାପରେ ପ୍ରାୟ ୩୩୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କାଶୀ ବିଶ୍ୱନାଥ ମନ୍ଦିରର ପ୍ରଥମ ଭାଗର ଉଦ୍‌ଘାଟନ କରିବେ । ନିଜ ସଂସଦୀୟ କ୍ଷେତ୍ର ବାରାଣସୀରେ ମୋଦିଙ୍କ ଏହି ଡ୍ରିମ ପ୍ରୋଜେକ୍ଟ ଟୁରିଜିମ କ୍ଷେତ୍ରକୁ ଆଗକୁ ବଢାଇବାରେ ସହଯୋଗ କରିବ । ତେବେ ଆଚାର୍ଯ୍ୟଙ୍କ ଦ୍ୱାରା ଦିଆଯାଇଥିବା ଶୁଭ ମୁହୂର୍ତ୍ତ ଅନୁଯାୟୀ ମୋଦି ଏହାର ଉଦ୍‌ଘାଟନ କରିବେ ବୋଲି ଜଣାପଡିଛି ।
ଗତ ୨୪୧ ବର୍ଷର ଇତିହାସରେ କାଶୀ ବିଶ୍ୱନାଥ ମନ୍ଦିରକୁ ତୃତୀୟ ଥର ରିନୋଭେଟ କରାଯାଇଛି । ଏହି ପବିତ୍ର ମନ୍ଦିରକୁ ମୋଗଲମାନେ ନଷ୍ଟ କରିଦେବାକୁ ଚାହୁଁଥିବା ବେଳେ ଅନେକ ଥର ଆକ୍ରମଣ ଯୋଗୁ ଏହାର ଅଧିକାଂଶ ଅଂଶ ନଷ୍ଟ ହାଇ ଯାଇଥିଲା । ସର୍ବ ପ୍ରଥମେ ଏହି ମନ୍ଦିରକୁ ୧୭୮୦ ମସିହାରେ ଅହିଲ୍ୟା ବାଇ ହୋଲକରଙ୍କ ଦ୍ୱାରା ରିନୋଭେଟ କରାଯାଇଥୀଲା । ଏହାପରେ ୧୮୫୩ରେ ମହାରାଜା ରଣଜୀତ ସିଂ ମନ୍ଦିରର ଅନେକ ସ୍ଥାନରେ ସୁନାରେ କିଛି କାମ କରିଥିଲେ । ଏହାପରେ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିରର ଭବ୍ୟ କରିଡର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
କରିଡରକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ମୁଖ୍ୟ ପରିସରକୁ ତିଆରି କରିବାକୁ ଲାଲ ବଲୁଆ ପଥର ବ୍ୟବହାର କରାଯାଇଛି । କରିଡରରେ ୪ ବଡ ବଡ ଗେଟ ରହିଛି, ଏହାର ଚାରି ପଟରେ ପ୍ରଦକ୍ଷିଣ ପଥ ନିର୍ମାଣ କରାଯାଇଛି । ଏହି ପ୍ରଦକ୍ଷିଣ ପଥରେ ଶଙ୍ଖମଲମଲରେ ୨୨ ଶିଳାଲେଖ ଲଗାଯାଇଛି । ଏଥିରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସ୍ମୃତି, କାଶୀ ବିଶ୍ୱନାଥର ସ୍ମୃତି ଓ ଭଗବାନ ଶଙ୍କରଙ୍କ ସହ ଜଡିତ ମହତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇଛି ।
ଏହାର ଏଣ୍ଟ୍ରି ଗେଟର ସଂରଚନାରେ ପାରମ୍ପରିକ ଶିଳ୍ପ କୌଶଳର ଉପଯୋଗ କରାଯାଇଛି, ଯାହା ଆମର ଇତିହାସ ଓ ସଂସ୍କୃତିକୁ ଦର୍ଶାଉଛି । କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟର ୱେବ ସାଇଟ ଅନୁଯାୟୀ ଏହି ମନ୍ଦିରକୁ ‘ସ୍ୱର୍ଣ୍ଣ ମନ୍ଦିର’ ମଧ୍ୟ କୁହାଯାଇଥାଏ ।

Share