ଅବ୍ୟବସ୍ଥାରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

କାଶୀନଗର,୨୮ା୭ (ଟି.କ୍ରିଷ୍ଣାରାଓ): ଗଜପତି ଜିଲା କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ରହିଛି । କିନ୍ତୁ ୭ ଜଣ ଡାକ୍ତର ବର୍ତ୍ତମାନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଚୁକ୍ତିଭିତ୍ତିକ ପଦବୀରେ ଥିବା ବେଳେ ୩ ଜଣ ସ୍ଥାୟୀ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଜଣାପଡିଛି। କୌଣସି ବିଶେଷଜ୍ଞ କି ମହିଳା ଡାକ୍ତର ନାହାନ୍ତି। ପୂର୍ବରୁ ଜଣେ ମହିଳା ଏମ୍‌ବିବିଏସ ଡାକ୍ତର ଥିଲେ। ତାଙ୍କୁ ବର୍ତ୍ତମାନ ଅନ୍ୟତ୍ର ଅବସ୍ଥାପିତ କରାଯାଇଥିବା ଜାଣିବାକୁ ମିଳିଛି। ସେହିପରି ଡେଣ୍ଟାଲ ସର୍ଜନଙ୍କ ବଦଳି ପରେ ଉକ୍ତ ପଦବୀ ବି ଖାଲିପଡିଛି। କାଶୀନଗରବାସୀଙ୍କ ବାରମ୍ବାର ଦାବି ଓ କାଶୀନଗର ନାଗରିକ ମହାସଭାର ଆନ୍ଦୋଳନ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ସପ୍ତାହରେ ଦୁଇ ଦିନ କାଶୀନଗର ଆସୁଥିଲେ। ବର୍ତ୍ତମାନ ସେ ଆଉ ଆସୁ ନଥିବା ଜଣାପଡିଛି। ଫଳରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଗର୍ଭବତୀ ଓ ଆସନ୍ନପ୍ରସବା ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗରୁ ବିଶେଷଜ୍ଞ ଡାକ୍ତର ଥିବାବେଳେ ଦୈନିକ ହାରାହାରି ୨୦୦ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିଲେ। ବର୍ତ୍ତମାନ ମାତ୍ର ୮୦ ରୁ ୧୦୦ ଭିତରେ ରୋଗୀ ଆସୁଛନ୍ତି। ଭାରପ୍ରାପ୍ତ ମେଡିକାଲ ଅଫିସର ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ଯେ, ଉପଲବ୍ଧ ସୁବିଧା ସୁଯୋଗ ଆଧାରରେ ଯେତିକି ସମ୍ଭବ ସେତିକି ନିଷ୍ଠାର ସହ କରାଯାଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂଆ ବିଲଡିଂ ର୍ନିମାଣାଧୀନ ରହିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ୧୧ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିଲେ ବି ସେମାନଙ୍କ ପାଇଁ ୪ଟି କ୍ୱାର୍ଟର ରହିଛି। ସେଥିରୁ ପୁଣି ଦୁଇଟି ମାତ୍ର ବାସୋପଯୋଗୀ। ଅନ୍ୟ ଦୁଇଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ତୁରନ୍ତ ଖାଲିଥିବା ବିଶେଷଜ୍ଞ ପଦବୀ ପୂରଣ, ଜଣେ ଗାଇନିକ ସ୍ପେଶାଲିଷ୍ଟ ନିଯୁକ୍ତି ଓ ସବୁ ଡାକ୍ତରଙ୍କ ପାଇଁ କ୍ୱାର୍ଟର ନିର୍ମାଣ ସକାଶେ କାଶୀନଗର ଜନସାଧାରଣ ଦାବି ରଖିଛନ୍ତି ।