Categories: ଜାତୀୟ

ତିନି ଦଶକ ପରେ ଘାଟିରୁ ହଟିବ ଭୟ, କଶ୍ମୀରରେ ପ୍ରଥମ ମଲି୍ଟପ୍ଲେକ୍ସର ହେବ ଉଦ୍‌ଘାଟନ

ଜମ୍ମୁ,୨୦ ।୯: ନିକଟରେ କିଛି ବର୍ଷ ମଧ୍ୟରେ କଶ୍ମୀରର ଏକ ନୂଆ ରୂପ ସାମ୍ନାକୁ ଆସିବାକୁ ଯାଉଛି । ଏବେ ପ୍ରାୟ ଦୀର୍ଘ ୩ଦଶକ ପରେ ଘାଟିରେ ପୁଣିଥରେ କିଛି ଏମିତି ହେବାକୁ ଯାଉଛି ଯାହାକୁ ଲୋକେ ବଡ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ମଙ୍ଗଳବାର ସେଠାରେ ପ୍ରଥମ ମଲ୍ଟିପ୍ଲେକ୍ସର ଉଦ୍‌ଘାଟନ ହେବାକୁ ଯାଉଛି । ବଲିଉଡ ଅଭିନେତା ଆମିର ଖାଁଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ର ବିଶେଷ ସ୍କ୍ରିନିଂ ସହ ମଙ୍ଗଳବାର ଏହି ମଲ୍ଟିପ୍ଲେକ୍ସ ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆଯିବ । ୩୦ ସେପ୍ଟେମ୍ବରରେ ହ୍ରିତିକ ରୋଶନ ଓ ଶୈଫ ଅଲି ଖାଁଙ୍କ ଅଭିନିତ ଫିଲ୍ମ ‘ବିକ୍ରମ ବେଧା’ର ସ୍କ୍ରିନିଂ ସହ ଏଠାରେ ନିୟମିତ ଭାବେ ଶୋ ଆରମ୍ଭ କରାଯିବ ।

କଶ୍ମୀରର ଏହି ପ୍ରଥମ ମଲି୍ଟପ୍ଲେକ୍ସରେ ମୋଟ ୫୨୦ ସିଟ କ୍ଷମତା ବିଶିଷ୍ଟ ୩ଟି ଫିଲ୍ମ ଥିଏଟର ରହିଛି । ସ୍ଥାନୀୟ ଭୋଜନକୁ ପ୍ରମୋଟ କରିବା ଉଦ୍ଦେଶ୍ୟରେ ଏହାର ପରିସରରେ ଏକ ‘ଫୁଡ କୋଟ’ ବି ରହିବ । ଆଇନକ୍ସ ଦ୍ୱାରା ସଂଚାଳିତ ମଲ୍ଟିପ୍ଲେକ୍ସର ନିର୍ଦ୍ଧାରିତ ଉଦଘାଟନ ଏମିତି ସମୟରେ କରାଯାଇଛି ଯେତେବେଳେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ପୁଲୱାମା ଓ ଶୋପିଆନ ଜିଲାରେ ଗୋଟିଏ ଗୋଟିଏ ବହୁ ଉଦ୍ଦେଶ୍ୟ ସିନେମା ହଲର ଉଦଘାଟନ କରିଛନ୍ତି । ଘାଟିରେ ସିନେମା ହଲ ୩ ଦଶକ ପରେ ପୁଣିଥରେ ଖୋଲିଛି । ୧୯୮୯-୯୦ରେ ଆତଙ୍କବାଦୀଙ୍କ ଦ୍ୱାରା ଧମକ ଓ ଆକ୍ରମଣ ପରେ ଥିଏଟର ମାଲିକମାନେ ଘାଟିରେ ସିନେମା ହଲ ବନ୍ଦ କରି ଦେଇଥିଲେ ।

 

Share