Categories: ଜାତୀୟ

କଶ୍ମୀର ପାଇଁ ୧.୪୨ ଲକ୍ଷ କୋଟିର ବଜେଟ

ନୂଆଦିଲ୍ଲୀ,୧୫।୩: ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଲାଗି ୨୦୨୨-୨୩ ଆର୍ଥତ୍କ ବର୍ଷ ନିମନ୍ତେ ୧.୪୨ ଲକ୍ଷ କୋଟି ଟଙ୍କାର ବଜେଟ ଲୋକ ସଭାରେ ଉପସ୍ଥାପନ କରିଛନ୍ତି। ଏହା ବ୍ୟତୀତ ସେ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ୨୦୨୧-୨୨ ବର୍ଷ ଲାଗି ୧୮,୮୬୦.୩୨ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିଥିଲେ। ଜମ୍ମୁ-କଶ୍ମୀରରେ ଏବେ ବିଧାନସଭା ନ ଥିବାରୁ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳ ଲାଗି ବାର୍ଷିକ ବଜେଟ ପାର୍ଲାମେଣ୍ଟର ଅନୁମୋଦନ ଆବଶ୍ୟକ କରୁଛି। ସୋମବାର ଉକ୍ତ ବଜେଟ ଉପରେ ଆଲୋଚନା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ଆଣିଥିବାବେଳେ କଂଗ୍ରେସ ସଦସ୍ୟ ମନୀଷ ତିଓ୍ବାରୀ ଏହାକୁ ବିରୋଧ କରିଥିଲେ। ପ୍ରସ୍ତାବକୁ ଅନୁଧ୍ୟାନ ପାଇଁ ଯଥେଷ୍ଟ ସମୟ ଦିଆଯିବା ଆବଶ୍ୟକ ବୋଲି ତିଓ୍ବାରୀ କହିଥିଲେ।
ଊଶ୍ମୀରରେ ଆଇନ ଶୃଙ୍ଖଳା ସ୍ଥିତି ଚିନ୍ତାଜନକ। ସରକାର ଯେଉଁ ଉଦ୍ଦେଶ୍ୟରେ ସେଠାରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ ତାହା ପୂରଣ ହୋଇନାହିଁ। ଜମ୍ମୁ-କାଶ୍ମୀରକୁ କେବେ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ ବୋଲି ତିଓ୍ବାରୀ ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ। ଇତିମଧ୍ୟରେ ୩୩ ମାସ ବିତିଥିଲେ ମଧ୍ୟ ସରକାର ତାଙ୍କ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି। ବର୍ତ୍ତମାନ ସେଠାର ସ୍ଥିତି ଅଧିକ ସମ୍ବେଦନଶୀଳ ବୋଲି କଂଗ୍ରେସ ନେତା କହିଥିଲେ।
ବଜେଟ ଆଲୋଚନାରେ ଭାଗନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ, ଜମ୍ମୁ-କଶ୍ମୀର ବଜେଟର ୬୩ ପ୍ରତିଶତ କଂଗ୍ରେସ ସରକାର ବେଳର ଅଧୁରା କାର୍ଯ୍ୟ ପୂରା କରିବାକୁ ମୋଦି ସରକାର ରଖିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଅନୁଚ୍ଛେଦ ୩୭୦ ଫେରାଇ ଆଣିବ ବୋଲି ପ୍ରତିଶ୍ରୁତି ଦେବାର ସତ୍‌ସାହସ ଅଛି କି ବୋଲି ସିଂ ପ୍ରଶ୍ନ କରିଥିଲେ।

Share