Categories: ଜାତୀୟ

କଶ୍ମୀର ଜଳୁଛି, ସରକାର କରୁଛନ୍ତି ଫିଲ୍ମ ପ୍ରମୋଶନ, କହିଲେ ସଞ୍ଜୟ…

ମୁମ୍ବାଇ, ୫।୬ : ଜମ୍ମୁ-କଶ୍ମୀରରୁ ହିନ୍ଦୁମାନଙ୍କ ପଳାୟନ କରିବା ନେଇ ଶିବସେନା ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଶିବସେନା ପକ୍ଷରୁ ସଞ୍ଜୟ ରାଉତ କହିଛନ୍ତି ଯେ ଦିଲ୍ଲୀରେ ବସିଥିବା ସରକାର ଚଳଚ୍ଚିତ୍ର ପ୍ରମୋଟ କରିବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ କଶ୍ମୀରରେ ଆତଙ୍କ ଖେଳିଯାଇଛି। କଶ୍ମୀର ଜଳୁଛି। ମାତ୍ର କେନ୍ଦ୍ର ସରକାର କେବଳ ଫିଲ୍‌ ପ୍ରମୋଶନରେ ସୀମିତ ରହି ଯାଇଛନ୍ତି। କଶ୍ମୀରର ପଣ୍ଡିତଙ୍କୁ କେନ୍ଦ୍ର ସରକାର କେବଳ ସ୍ବପ୍ନ ଦେଖାଇଛନ୍ତି। କଶ୍ମୀରର ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।

ସରକାର ଦିଲ୍ଲୀରେ ବସି ଆଲୋଚନା ବ୍ୟତିତ ଅନ୍ୟ କିଛି ପଦକ୍ଷେପ ଗ୍ରହଣ କରିବାକୁ ସକ୍ଷମ ହୋଇ ପାରି ନାହାନ୍ତି। କଶ୍ମୀରରେ କାଶ୍ମୀର ପଣ୍ଡିତ ଏବଂ ହିନ୍ଦୁ ସମାଜ ସହିତ ଦେଶର ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ମୁସଲମାନ ଭାଇମାନଙ୍କୁ ମଧ୍ୟ ହତ୍ୟା କରାଯାଉଛି । ସରକାରୀ ଚାକିରିରେ ନିୟୋଜିତ ଥିବା ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ହିନ୍ଦୁମାନଙ୍କ ସହିତ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ମୁସଲମାନ କର୍ମଚାରୀ, ସୁରକ୍ଷା କର୍ମୀଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରୁଛନ୍ତି। ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ସଞ୍ଜୟ କହିଛନ୍ତି।

Share