Categories: ଜାତୀୟ

ଜିଲା ମୁଖ୍ୟାଳୟକୁ ସ୍ଥାନାନ୍ତର ହେବେ ହିନ୍ଦୁ କର୍ମଚାରୀ

ଶ୍ରୀନଗର,୧।୬: ଜମ୍ମୁରେ କଶ୍ମୀର ପଣ୍ଡିତଙ୍କୁ ବାରମ୍ବାର ଟାର୍ଗେଟରେ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଜମ୍ମୁ କଶ୍ମୀର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ୟାକେଜ୍‌ ଅନୁଯାୟୀ, ଘାଟିରେ ନିଯୁକ୍ତ ଥିବା କଶ୍ମୀର ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୂ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ଜୁନ ୬ ସୁଦ୍ଧା ଶେଷ ହେବ। ଏଥି ସହିତ, କର୍ମଚାରୀଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଏକ ସ୍ବତନ୍ତ୍ର ଅଭିଯୋଗ ସେଲ ପ୍ରତିଷ୍ଠା କରାଯିବ। ବୁଧବାର ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଇ-ମେଲ ମାଧ୍ୟମରେ ସ୍ବତନ୍ତ୍ର ଅଭିଯୋଗ ସେଲରେ ଅଭିଯୋଗ କରାଯାଇପାରିବ। ଯେଉଁ ଅଧିକାରୀମାନେ ଠିକ ସମୟରେ ସମସ୍ୟାର ସମାଧାନ ନ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବଡ଼ଗାମରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ରାହୁଲ ଜଣେ ସରକାରୀ କର୍ମଚାରୀ ଥିତ୍ଲେ। ଏହାସହ ପୋଲିସକର୍ମୀ ରିୟାଜ୍‌ ଅହମ୍ମଦ ଠାକୋର ଏବଂ ଟିଭି ଅଭିନେତ୍ରୀ ଅମରିନ୍‌ ଭଟ୍ଟଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଗତକାଲି ଜଣେ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିଲା।

Share