Categories: ଜାତୀୟ

ହିନ୍ଦୁ ପରିଚୟ ଦେଇ ମଧ୍ୟପ୍ରଦେଶ ଯୁବତୀଙ୍କୁ ବିବାହ କଲେ କଶ୍ମୀର ମୁସଲିମ୍‌ ଯୁବକ; ତାପରେ…

ଗ୍ବାଲିଅର, ୧୮।୮: ଦେଶରେ ପୁଣିଥରେ ‘ଲଭ୍‌ ଜିହାଦି’ ମାମଲା ସାମ୍ନାକୁ ଆସିଛି। ଏଥର ଲଭ୍‌ ଜିହାଦିର ଶିକାର ହୋଇଛନ୍ତି ମଧ୍ୟପ୍ରଦେଶ ଗ୍ବାଲିଅରର ଜଣେ ଯୁବତୀ। ଅଭିଯୁକ୍ତ କଶ୍ମୀର ଯୁବକ ନିଜକୁ ହିନ୍ଦୁ ବୋଲି ଦର୍ଶାଇ ବିବାହ କରିନେଇଥିଲେ। ଏହାପରେ ସେ ଯୁବତୀଙ୍କୁ ସାଥୀରେ ଧରି କଶ୍ମୀର ଚାଲିଯାଇଥିଲେ ଏବଂ ସେଠାରେ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରିଦେଇଥିଲେ। କେବଳ ଏତିକି ନୁହେଁ ଏହାପରେ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ ଯୁବକ। ତେବେ କୌଣସିମତେ ଯୁବତୀଜଣଙ୍କ ସୋସିଆଲ ମିଡିଆ ଜରିଆରେ ସମସ୍ତ ଘଟଣା ସାମ୍ନାକୁ ଆଣିବାରେ ସଫଳ ହୋଇଥିଲେ। ଯେତେବେଳେ ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଥିଲା ଗ୍ବାଲିଅରସ୍ଥିତ ହିନ୍ଦୁ ସଙ୍ଗଠନ କଶ୍ମୀର ହିନ୍ଦୁ ସଙ୍ଗଠନର ସହାୟତା ଲୋଡ଼ିଥିଲା। ଏହାପରେ ପୁଞ୍ଚର ମହିଳା ସଙ୍ଗଠନ ଯୁବତୀଙ୍କୁ ନେଇ ସୁରନକୋଟ ଥାନାରେ ଯୁବକଙ୍କ ନାମରେ ମାମଲା ରୁଜୁ କରିଥିଲେ। ପରେ ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।
ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ ଯୁବତୀଜଣଙ୍କ କହିଛନ୍ତି ଯେ, ସେ ଗ୍ବାଲିଅରରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିଲେ। ଛ’ ମାସ ତଳେ ସେ ଜୟପୁର ଯାଇଥିଲେ। ସେଠାରେ ତାଙ୍କର କଶ୍ମୀରର ଜଣେ ଯୁବକଙ୍କ ସହ ପରିଚିତ ହୋଇଥିଲା। ଯୁବକଜଣଙ୍କ ନିଜକୁ ସାହିଲ କୁମାର ବୋଲି ପରିଚୟ ଦେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା ଏବଂ ପରେ ଏହା ବିବାହରେ ପରିଣତ ହୋଇଥିଲା। ବିବାହ ସମୟରେ ମଧ୍ୟ ଯୁବକଜଣଙ୍କ ନିଜର ଧର୍ମ ଲୁଚାଇଥିଲେ। କିନ୍ତୁ ଯେତେବେଳେ ଯୁବତୀଜଣଙ୍କ ଯୁବକଙ୍କ ସହ କଶ୍ମୀର ଯାଇଥିଲେ ସେଠାରେ ଅସଲ ଘଟଣା ସାମ୍ନାକୁ ଆସିଥିଲା। ଯୁବକଙ୍କ ନାମ ସୌକତ୍‌ ଅଲୀ ଖାନ୍‌ ବୋଲି ଜାଣିଥିଲେ। ଏହାପରେ ଯୁବତୀଜଣଙ୍କ ସେଠାରୁ ଆସିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇ ନିକ୍‌ହା କରାଯାଇଥିଲା।

Share