Categories: ଜାତୀୟ

ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ: ଗୋଟିଏ ଦିନରେ ତୃତୀୟ ଆକ୍ରମଣ

ଶ୍ରୀନଗର,୪।୪: ଜମ୍ମୁ-କଶ୍ମୀରରେ ସୋମବାର ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଛନ୍ତି। ଗୋଟିଏ ଦିନରେ ୩ଟି ଆକ୍ରମଣ ଘଟାଇଛନ୍ତି ଆତଙ୍କବାଦୀ। ଇତିମଧ୍ୟରେ ଶୋପିଆନ ଜିଲାରେ ପୁଣି ଜଣେ କଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରି ତାଙ୍କ ଉପରେ ଉପରେ ଗୁଳିଚଳାଇଛନ୍ତି। ଗୁରୁତର ଅବସ୍ଥାରେ ଆହତ ପଣ୍ଡିତଙ୍କୁ ଉଦ୍ଧାର କରାଯାଇ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ଦକ୍ଷିଣ କଶ୍ମୀରର ଶୋପିଆନ ଜିଲାର ଚିତ୍ରଗାମରେ ସୋମବାର ପ୍ରାୟ ରାତି ୮ଟାରେ ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତ ସୋନୁ କୁମାର ବଲଜିଙ୍କ ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ବଲଜିଙ୍କୁ ୩ଟି ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀନଗର ସ୍ଥିତ ଏକ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୩୦ବର୍ଷରୁ ବଲଜି କଶ୍ମୀରର ପଣ୍ଡିତ ରହିଛନ୍ତି। ଅନ୍ୟପଟେ ଏହାପୂର୍ବରୁ ଶ୍ରୀନଗରର ମୌସୁମା ଅଞ୍ଚଳରେ ଆତଙ୍କବାଦୀମାନେ ସିଆରପିଏଫ୍‌ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକ ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ସୋମବାର ଦ୍ୱିପ୍ରହରରେ ପୁଲଓ୍ବାମା ଜିଲାରେ ୪ଜଣ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସେଥିମଧ୍ୟରୁ ବିହାରର ୨ଜଣ ଶ୍ରମିକ ଥିବା ସୂଚନା ରହିଛି।

Share