Categories: ଗଞ୍ଜାମ

କାଷ୍ଠ ଅର୍କକ୍ଷେତ୍ର: ବିରଞ୍ଚି ନାରାୟଣ ମନ୍ଦିର

ବୁଗୁଡ଼ା,୧୭ା୩(ଡି.ଏନ.ଏ.): ପ୍ରସ୍ତରର କାରୁକାର୍ଯ୍ୟରେ ନିର୍ମିତ ବିଶ୍ୱପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରଥମ ଅର୍କକ୍ଷେତ୍ର ହୋଇଥିବା ବେଳେ ଗଞ୍ଜାମ ଜିଲା ବୁଗୁଡ଼ାରେ କାଷ୍ଠ କାରୁକାର୍ଯ୍ୟରେ ନିର୍ମିତ ସୂର୍ଯ୍ୟ ଅର୍ଥାତ୍‌ ଶ୍ରୀବିରଞ୍ଚି ନାରାୟଣଙ୍କ ମନ୍ଦିର ଦ୍ୱିତୀୟ ଅର୍କକ୍ଷେତ୍ର ରୂପେ ପ୍ରସିଦ୍ଧି ଲାଭ କରିଛି। କୋଣାର୍କ ଭଳି ବିରଞ୍ଚି ନାରାୟଣଙ୍କ ମନ୍ଦିରରେ ମଧ୍ୟ ପ୍ରସ୍ତର ନିର୍ମିତ ସୂର୍ଯ୍ୟ ନାରାୟଣଙ୍କ ମୂର୍ତ୍ତ ପୂଜା ପାଉଛନ୍ତି।
ବୁଗୁଡ଼ା ସହର ବଡ଼ଦାଣ୍ଡରେ ବିରଞ୍ଚି ନାରାୟଣ ମନ୍ଦିର। ଏହି ମନ୍ଦିର ଘୁମୁସରର ଭଞ୍ଜବଂଶୀୟ ରାଜା ଶ୍ରୀକର ଭଞ୍ଜଙ୍କ ଦ୍ୱାରା ୧୭୮୮ ମସିହାରେ ନିର୍ମିତ ହୋଇଥିଲା। ସେ ସମୟରେ ମନ୍ଦିରରେ ବିରଞ୍ଚି ନାରାୟଣଙ୍କ ଦାରୁମୂର୍ତ୍ତି, ଶିଳାମୂର୍ତ୍ତି ଓ ଧାତୁମୂର୍ତ୍ତି ପୂଜା ପାଇ ଆସୁଥିଲେ। ପରେ ରାଜା ଶ୍ରୀକର ଭଞ୍ଜ ମାଳତୀଗଡ଼ର ଇଷ୍ଟଦେବୀ ମା’ ରତ୍ନେଶ୍ୱରୀଙ୍କ ଠାରୁ ସ୍ବପ୍ନାଦେଶ ପାଇ ମାଳତୀ ପର୍ବତରେ ଅପୂଜ୍ୟ ହୋଇ ପଡ଼ିଥିବା ୬ଫୁଟ ଲମ୍ବା ବିଶିଷ୍ଟ ଦଣ୍ଡାୟମାନ ପ୍ରସ୍ତର ମୂର୍ତ୍ତିକୁ ଆଣି ବିରଞ୍ଚି ନାରାୟଣ ମନ୍ଦିରରେ ସ୍ଥାପନ କଲେ। ପ୍ରସ୍ତର ନିର୍ମିତ ବିରଞ୍ଚି ନାରାୟଣ ଅର୍ଥାତ୍‌ ସୂର୍ଯ୍ୟ ଦେବତାଙ୍କ ବ୍ୟତୀତ ମନ୍ଦିରର ନିମ୍ନାଂଶରେ ୭ଟି ଧାବମାନ ଅଶ୍ୱ ଓ ପୂର୍ବ ପାର୍ଶ୍ୱରେ ଗୋଟିଏ ମାତ୍ର ଚକ ରହିଛି, ଯାହାକି ସୂର୍ଯ୍ୟ ଦେବତାଙ୍କ ବିମାନ ଭଳି ପ୍ରତୀୟମାନ। ମନ୍ଦିରରେ ୪୮ଟି ସ୍ତମ୍ଭ ଅଛି। ମନ୍ଦିରର ନିମ୍ନଭାଗ ପ୍ରସ୍ତରରେ ତିଆରି ହୋଇଥିବା ବେଳେ ଉପର ଭାଗ ଛାତ ତାମ୍ର ଧାତୁ ପତ୍ର ଦ୍ୱାରା ଆଚ୍ଛାଦିତ। ମଝିରେ ମଝିରେ ପିତ୍ତଳ ଧାତୁ ନିର୍ମିତ କଣ୍ଟା ଏଥିରେ ବ୍ୟବହାର କରାଯାଇଛି। ମନ୍ଦିରର ନିମ୍ନାଂଶ ଓ ଛାତକୁ ଛାଡ଼ି ଦେଲେ ଭିତର ଅଂଶରେ କାଠ କାରୁକାର୍ଯ୍ୟ ହୋଇଥିବାରୁ ଏହାକୁ ଦ୍ୱିତୀୟ କାଷ୍ଠର କୋଣାର୍କ ବୋଲି କୁହାଯାଏ। ଶାଳ, ତାଳ ଓ ଗମ୍ଭାରୀ କାଠର କାରୁକାର୍ଯ୍ୟ ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ମଣ୍ଡପର ଦକ୍ଷିଣ ପାର୍ଶ୍ୱରେ ଦଶଦିଗପାଳ, ନବଗ୍ରହ, ପଦ୍ମଧର, ଶଙ୍ଖଧର, ଦଶମହାବିଦ୍ୟା ମଧ୍ୟ କାଷ୍ଠରେ ତିଆରି ହୋଇଛନ୍ତି। ସେହିପରି ମନ୍ଦିରର ଉତ୍ତର ପାର୍ଶ୍ୱ ସମ୍ମୁଖ ପ୍ରାଚୀରରେ କାଷ୍ଠରେ ତିଆରି କୃଷ୍ଣ-ବଳରାମ ଝରକା, ନିମ୍ନାଂଶରେ ଧେପୁପଲ, ଉଭୟ ପାର୍ଶ୍ୱରେ ସୁବଳ, ସଖାଦଳ, ସୁଦାମ, ଅକ୍ରୂର, ଗଜଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି କାଠରେ ତିଆରି ହୋଇଛନ୍ତି। ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟଗୁଡିକ ନିଖୁଣ, ଜୀବନ୍ତ ଭାବେ କାଷ୍ଠରେ ତିଆରି ହୋଇଛନ୍ତି। ତେବେ ୧୯୬୫ ମସିହାଠାରୁ ଏହି କୀର୍ତ୍ତିଗୁଡ଼ିକରେ ରଙ୍ଗ ଦିଆଯାଇ ନ ଥିବା ମନ୍ଦିର ମଠାଧୀଶ ପ୍ରକାଶ କରିଛନ୍ତି।
ଶ୍ରୀବିରଞ୍ଚି ନାରାୟଣଙ୍କ ବର୍ଷ ସାରା ପୂଜା, ପର୍ବ ପାରମ୍ପରିକ ରୀତିନୀତି ଅନୁଯାୟୀ ହେଉଛି। ମାଘ ସପ୍ତମୀ, ଶାମ୍ବ ଦଶମୀ, କାର୍ତ୍ତିକ ପୂର୍ଣ୍ଣିମାରେ ସ୍ବତନ୍ତ୍ର ପୂଜାନୀତି ହେଉଛି। ମନ୍ଦିର ମଧ୍ୟରେ ଗଙ୍ଗା, ଯମୁନା ନାମରେ ଏକ ବାମ୍ଫି ରହିଛି, ଯାହାର ଜଳକୁ ଲୋକେ ପବିତ୍ର ଜଳ ଆକାରରେ ଗ୍ରହଣ କରିଥାନ୍ତି। ଯେଉଁମାନଙ୍କର ବିଇଞ୍ଚି ବା ଏକଜିମା କିମ୍ବା କୁଷ୍ଠ ହୋଇଥାଏ ସେମାନେ ଆରୋଗ୍ୟ ହେବା ପାଇଁ ଏଠାରେ ମାନସିକ କରି ମୁଣ୍ଡନ ହୁଅନ୍ତି ଏବଂ ବାଉଁଶ ତିଆରି ପାଛିଆ, ବାଇଗଣ, ମୁଗ, ବିରି, ସୋରିଷ ପୂର୍ଣ୍ଣ କରି ତାଳପତ୍ର ପଙ୍ଖା ସହ ଠାକୁରଙ୍କ ଠାରେ ସମର୍ପଣ କରିଥାନ୍ତି। ବିରି ମୁଗକୁ ବାମ୍ଫି ଜଳରେ ପକାଇ ମୁଣ୍ଡରେ ପାଣି ସିଞ୍ଚନ କରିଥାନ୍ତି। ଶ୍ରୀବିରଞ୍ଚି ନାରାୟଣଙ୍କର ପ୍ରାୟ ହଜାରେ ଏକର ଜମି ରହିଛି। ଅଧିକାଂଶ ଜମି ଲୋକଙ୍କ ପାଖରେ ଥିଲେ ମଧ୍ୟ ସେମାନେ ମନ୍ଦିରକୁ କିଛି ଦେଉନଥିବା ଯୋଗୁ ମନ୍ଦିରରେ ନୀତି ଓ ପର୍ବପର୍ବାଣି କରିବା କଷ୍ଟସାଧ୍ୟ ହେଉଛି। ବର୍ତ୍ତମାନ ମନ୍ଦିରର ମଠାଧୀଶଙ୍କ ଦ୍ୱାରା ପରିଚାଳିତ ୧୦୦ ଭରଣ ଜମିରୁ ଯାହା ଅମଳ ହେଉଛି ସେଥିରେ ଠାକୁରଙ୍କ ନୀତିକାନ୍ତି, ପୂଜା ଭୋଗ, ଯାତ୍ରା, ପର୍ବପର୍ବାଣି ଆଦି ହେଉଛି।
ନାରାୟଣ ମନ୍ଦିର ପର୍ଯ୍ୟଟନ କେନ୍ଦ୍ର ରୂପେ ସ୍ବୀକୃତି ପାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ଓ କଳା ସ୍ଥାପତ୍ୟ ବିଭାଗ ଏହାର ଉନ୍ନତି ପ୍ରତି ଦୃଷ୍ଟି ଦେଉନାହାନ୍ତି। ପର୍ଯ୍ୟଟକ ଓ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ମନ୍ଦିରର ଉନ୍ନୟନ ଓ ଏହାର କାରୁକାର୍ଯ୍ୟର ପୁନରୁଦ୍ଧାର କରିବାକୁ ପର୍ଯ୍ୟଟନ ଓ କଳା ସ୍ଥାପତ୍ୟ ବିଭାଗ ଦୃଷ୍ଟି ଦିଅନ୍ତୁ ବୋଲି ମଠାଧିଶ ଭକ୍ତରାମ ଦାଶ କହିଛନ୍ତି। ସେହିପରି ମନ୍ଦିର କାରୁକାର୍ଯ୍ୟର ପୁନରୁଦ୍ଧାର ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ବୁଦ୍ଦିଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି। ବିରଞ୍ଚି ନାରାୟଣ ମନ୍ଦିରର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ଓ କଳା ସ୍ଥାପତ୍ୟ ବିଭାଗ ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ଶିକ୍ଷାବିତ୍‌ କୈଳାସ ଚନ୍ଦ୍ର ମିଶ୍ର କହିଛନ୍ତି।