ସନ୍ଥ ଜୁନୈଦ ଜଣେ ଉଚ୍ଚ କୋଟିର ମହାତ୍ମା ଥିଲେ l ସଂସାର ପ୍ରତି ସେ ସମ୍ପୂର୍ଣ୍ଣ ନିରାସକ୍ତ ଥିଲେ l ସେ ପରିବ୍ରାଜକ ବ୍ରତ ଧାରଣ କରିଥିଲେ l ସବୁଆଡେ ପରିଭ୍ରମଣ କରୁଥିଲେ l ଆଜି ଏଠି ତ କାଲି ଆଉ କୋଉଠି। ଯେଉଁଠି ରାତି ହୋଇଯାଏ ସେଇ ସ୍ଥାନରେ ସେ ରୁହନ୍ତି l ପରଦିନ ପ୍ରଭାତରେ ସେ ସ୍ଥାନ ଛାଡି ସେ ଚାଲିଯାନ୍ତି l ସନ୍ଥ ଜୁନୈଦ କେବଳ ଜଣେ ଯେ ବୁଲା ବାବାଜୀ ଥିଲେ ତା ନୁହେଁ, ସେ ଥିଲେ ଜଣେ ବିଶିଷ୍ଟ ଜ୍ଞାନୀ l ତାଙ୍କ ପାଖରେ ଜ୍ଞାନ ଚର୍ଚ୍ଚା କରିବାକୁ ଏବଂ ତାଙ୍କର ସାମାନ୍ୟ ଟିକେ ଦର୍ଶନ ଲାଭ କରିବାକୁ ଆଧ୍ୟାତ୍ମିକ ବ୍ୟକ୍ତିମାନେ ପାଗଳ ପ୍ରାୟ ଥିଲେ l ବହୁ ଦୂରରୁ ହେଉ ପଛେ ଜୁନୈଦଙ୍କୁ ଦର୍ଶନ କରି ଲୋକେ ନିଜକୁ ଅହୋଭାଗ୍ୟ ମନେ କରୁଥିଲେ l
ପରିବ୍ରାଜନ ସମୟରେ ଏମିତି ବୁଲୁ ବୁଲୁ ମହାତ୍ମା ଜୁନୈଦ ଏକ ବଡ ସହରରେ ପହଞ୍ଚି ଗଲେ l ଜୁନୈଦଙ୍କ ଆଗମନ ଖବର ପାଇ ସହରର ବହୁ ଲୋକ ଜୁନୈଦଙ୍କୁ ଦର୍ଶନ କରିବା ନିମନ୍ତେ ତାଙ୍କ ନିକଟରେ ପହଞ୍ଚିଲେ। କେବଳ ସାଧାରଣ ଜନତା ନୁହନ୍ତି, ବହୁ ଧନୀ ମାନୀ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କର ବି ଧାଡି ଲାଗିଲା l ଠିକ ସେଇ ସମୟରେ ସହରର ସବୁଠୁ ଧନାଢ୍ୟ ସେଠ ଜୁନୈଦଙ୍କ ଦର୍ଶନ ପାଇଁ ଆସି ପହଞ୍ଚିଲେ l ସନ୍ଥଙ୍କୁ ପ୍ରଦାନ କରିବା ପାଇଁ ସାଙ୍ଗରେ ଆଣିଥିଲେ ଅନେକ ସ୍ବର୍ଣ୍ଣ ମୁଦ୍ରା ଥିବା ଏକ ଥାଳି l ମୁଦ୍ରା ଥିବା ଥାଳିକୁ ସନ୍ଥଙ୍କ ସମ୍ମୁଖରେ ରଖି ସେଠ ପ୍ରଣିପାତ କଲେ। ଜୁନୈଦ ଥାଳି ଉପରେ ଟିକେ ଆଖି ବୁଲାଇ ଆଣି ସହାସ୍ୟ ବଦନରେ କହିଲେ – ତୁମ ପାଖରେ ଏତିକି ନା ତା’ଠାରୁ ଅଧିକ ଧନ ଅଛି?
ଅଧିକ ଧନ ପାଇଁ ସନ୍ଥ ଇଚ୍ଛା ପ୍ରକାଶ କରୁଥାଇ ପାରନ୍ତି ବୋଲି ଭାବି ଉତ୍ସାହର ସହ ସେଠ କହିଲେ ଏହାଠୁ ଯଥେଷ୍ଟ ଅଧିକ ଧନ ମୋ ପାଖରେ ଅଛି l ଆପଣଙ୍କର ଆଉ କିଛି ଅଧିକ ଆବଶ୍ୟକ ଥିଲା କି?
ମୋର ତ ମୋଟରୁ ଆବଶ୍ୟକ ନାହିଁ l କିନ୍ତୁ ତୁମକୁ ଯଦି ଅଧିକ ଧନ ପ୍ରଦାନ କରାଯାଏ, ତେବେ ତୁମେ ତାକୁ ଗ୍ରହଣ କରିବ ତ? ମହାତ୍ମା ଜୁନୈଦଙ୍କ ଏ ପ୍ରଶ୍ନରେ ସେଠ କହିଲେ ଧନ ଯାହାର ଯେତେ ଅଧିକ ଥିଲେ ବି ତାକୁ ଯଦି ଆଉ ଅଧିକ କୁଆଡୁ ମିଳେ ତେବେ ସେ ଗ୍ରହଣ କରିବ ହିଁ କରିବ l ମୁଁ ସେଥିରୁ ବାଦ ଯିବି କେମିତି? ଏହା ତ ବଡ଼ ସୌଭାଗ୍ୟର କଥା।
ନିଜ ସମ୍ମୁଖରେ ସେଠଙ୍କ ପ୍ରଦତ୍ତ ଥଳିକୁ ଅନାଇ ମହାତ୍ମା କହିଲେ, ତେବେ ଏଇ ଥଳିକୁ ତୁମେ ଏବେ ନେଇପାର l କାରଣ ଏହାର ଅସଲ ଆବଶ୍ୟକତା ତୁମର ହିଁ ଅଛି l ଯିଏ ଅଧିକ ଧନ ଆଶାୟୀ, ତାଠୁ ଏତକ ନେଇଗଲେ ତା ଭଣ୍ଡାର କିଛି ଟା ଶୂନ୍ୟ ହୋଇଯିବନି? ସବୁ କିଛି ଥାଇ ମଧ୍ୟ ଯିଏ ପୁଣି ଅଧିକ ପାଇବା ପାଇଁ ଆଶା ରଖିଛି, ତା’ର ଦାନ ଦେବାର କିଛି ଅର୍ଥ ନାହିଁ l
ଏତକ ଶୁଣି ସେଠ ଲଜ୍ଜିତ ହୋଇଗଲେ l ଜୀବନରେ ଆଉ କେବେ ଧନ ପଛରେ ଗୋଡାଇବେ ନାହିଁ ବୋଲି ମହାତ୍ମାତ୍ଙ୍କ ପାଖରେ ସେଠ ସେଦିନ ଶପଥ କରିଥିଲେ l
ପିତାମହ ଭୀଷ୍ମ ଦିନେ ଜନୈକ ଋଷି ସମ୍ପାକଙ୍କୁ ପଚାରିଲେ – ଋଷିବର ! ଧନକୁ କେନ୍ଦ୍ର କରି ଏ ସଂସାରରେ କେହି ବି ସୁଖୀ ଥିବାର ଜଣା ପଡୁନି l ଯାହା ପାଖରେ ଧନ ନାହିଁ ସେ ତ ଦୁଃଖୀ ହେବା ସ୍ବାଭାବିକ କଥା l କିନ୍ତୁ ଯାହା ପାଖରେ କୋଟି କୋଟି ଟଙ୍କା ଅଛି, ସିଏ ବି ଦୁଃଖୀ ବା ଅସନ୍ତୁଷ୍ଟ ରହିବାର ଦେଖା ଯାଉଛି l କ’ଣ ଏହାର ରହସ୍ୟ?
ଋଷି ସମ୍ପାକ କହିଲେ – ହଁ, ଦେବବ୍ରତ, ଆପଣଙ୍କ କଥା ପୁରା ଠିକ l
ଧନହୀନ ଲୋକ ଦୁଃଖୀ ରୁହେ l କିନ୍ତୁ ଯାହାକୁ ପୁଳାଏ ଧନ ପ୍ରାପ୍ତ ହୋଇଯାଏ ସେ ଅନ୍ୟ କାରଣ ଯୋଗୁଁ ଦୁଃଖୀ ହୋଇଥାଏ l ଅକସ୍ମାତ ଧନ ପ୍ରାପ୍ତ ହେବା ଯୋଗୁଁ ସେ ନିପଟ ମୂର୍ଖ ହୋଇଥିଲେ ବି ନିଜକୁ ଜ୍ଞାନୀ ମନେକରେ l କୁରୂପ ହୋଇଥିଲେ ବି ନିଜକୁ ଖୁବ ରୂପବାନ ବୋଲି ଭାବେ l
ସେ ଚିନ୍ତା କରେ ଯେ ପୃଥିବୀରେ ସେ ହିଁ ଏକୁଟିଆ ଧନୀ, ମାନୀ ଆଉ ଜ୍ଞାନୀ l ଏହି ଅହଂକାର ଯୋଗୁଁ ସେ ସ୍ଫୀତ ହୋଇଯାଏ l ଦୁରାଚାରୀ ହୋଇଯାଏ l ଲୋକଙ୍କୁ ପୋକ ମାଛି ପ୍ରାୟ ମଣେ l ନିଜର ଧନକୁ ନିଜ ଅୟସ ପାଇଁ ଖର୍ଚ୍ଚ କରେ l ସେତେବେଳେକୁ ତା’ ଚାରିପଟେ ଗୁଡ଼ାଏ ତୈଳମର୍ଦ୍ଧନକାରୀ ହାବୁଡ଼ି ଯାଇଥିବେ l ସେମାନେ ମଧ୍ୟ ବିଭିନ୍ନ ମଧୁରିଆ କଥା କହି ଧନୀ ଲୋକଠାରୁ ଧନ ହଡପ କରିବାରେ ଲାଗନ୍ତି l ଏହା ଫଳରେ ଗୋଟିଏ ଅସୁବିଧା ହୁଏ l ନିରନ୍ତର ବିଷୟ ବାସନାରେ ରତ ରହିବା ଯୋଗୁଁ ଧନୀ ଲୋକ ଟିର ଇନ୍ଦ୍ରିୟ ଗୁଡିକ ଦୁର୍ବଳ ହୋଇଯାନ୍ତି ଏବଂ ଧନ ସବୁ ଶେଷ ହେବାରେ ଲାଗେ l ଦିନ ଆସେ ଲୋକଟି ପୁଣି ଧନହୀନ ହୋଇଯାଏ। ସେତେବେଳେ ତାକୁ ଆଉ କେହି ପଚାରନ୍ତି ନାହିଁ l ଏହା ହିଁ ତାର ଦୁଃଖ l
ତେଣୁ ଧନ ଯେତେବେଳେ ପାଖରେ ଅଛି ସେତେବେଳେ ତା’ର ସଦୁପଯୋଗ କରିବା ଉଚିତ l ଦାନ, ଧର୍ମ କରିବା ଉଚିତ l ଅଯଥା ଅହଙ୍କାରୀ ହେବା ଉଚିତ ନୁହେଁ l ଧନକୁ ଯେତେ ଧର୍ମମାର୍ଗରେ ଉପଯୋଗ କରିବ ତାହା ସେତେ ବଢ଼ିବାରେ ଲାଗିବ l ଏ କଥାକୁ ଆଜିକାର ଧନବାନ ଲୋକେ ଭଲ କରି ବୁଝିବା ଉଚିତ l
-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ:୯୪୩୭୨୯୨୬୯୯