ଆଃ! କାହିଁ ପଲ୍ଲୀ, କାହିଁ ପୁରୀ! ଭାଗ୍ୟରେ ଥିଲେ ଏଇଠିକି ମଣିଷ ଆସନ୍ତି l ଏକଥା ଖାଲି ମୁଁ କହୁନି , ସମସ୍ତେ କହନ୍ତି l ସଜନୀ ମାଉସୀ ସଙ୍ଗେ ଚମ୍ପା ମାଉସୀ ଏମିତି କଥା ହେଉଛନ୍ତି l ଦିହେଁ ପାଖାପାଖି ଗାଁର l କେତେଦିନ ପରେ ପୁରୀରେ ହବିଷ କରିବାକୁ ଆସି ବଡ଼ଦାଣ୍ଡରେ ଭେଟ ହୋଇଛନ୍ତି l ସଜନୀ ସାନ, ଚମ୍ପା ବଡ଼ l ପୁରୀରେ ପହିଲି ଦେଖାରେ ସଜନୀ ମାଉସୀ ନାନୀ ବୋଲି ଡାକି ଢେର୍ ଲୋକଙ୍କ ଆଗରେ ମୁଣ୍ଡିଆ ମାରିବାରୁ ଚମ୍ପା ମାଉସୀ ଛାତି କୁଣ୍ଢେମୋଟ ହୋଇଗଲା l ତାକୁ କୁଣ୍ଢେଇ ଗଳାରେ ଲଗେଇ ଗେଲକରି କେତେ ଭଲମନ୍ଦ କଥା ପଚାରିଗଲେ l ସଜନୀ ମାଉସୀ ଭାରି ଗରିବ l ଚମ୍ପା ମାଉସୀ ଥିଲାବାଲା l ତିନି ତିନିଟା ରୋଜଗାରିଆ ପୁଅ l ବଡ଼ ଜମିବାଡ଼ି ଖବର ବୁଝେ l ମଝିଆ ରାଜନୀତି ସାଙ୍ଗେ କଣ୍ଟ୍ରାକ୍ଟରି କରେ l ସାନପୁଅ ଦିଲ୍ଲୀରେ ବଡ଼ ଚାକିରିକରି ଲକ୍ଷେରୁ ବେଶି ଟଙ୍କା ମାସକୁ ପଠାଏ l ହେଲେ ସଜନୀ, ଗିରସ୍ତ ମଲାକାଳୁ ଭାରି ଦୁଃଖୀ l ଝିଅ ଜ୍ୱାଇଁଙ୍କ ହାତଟେକା ଦାନରେ ଗାଁରେ ରହି ଦୁଃଖେ ସୁଖେ ଚଳେ l
ଚମ୍ପା ମାଉସୀ ପଚାରିଲା.. ”ହାଇଲୋ ସଜନୀ ! ତୁ କେମିତି କାହା ସାଙ୍ଗେ ପୁରୀ ଅଇଲୁ? କୋଉଠି ରହୁଛୁ ? ତତେ ସରକାର ଆଣିଲେ ନା ନିଜେ ଆସିଛୁ ?“
– ନାଇଲୋ ନାନୀ l ମୋ କପାଳ ତ ଫଟା l ସରକାର କାହାକୁ କେମିତି ଆଣି କୋଉଠି ରଖୁଛନ୍ତି.. ସେ କଥା ମୁଁ ଜାଣିନି l ଗଲା କରୋନl କାଳ ଦି’ବରଷ ଛାଡ଼ିଦେଲେ, ବାକି ଫି ବରଷ ଗିରସ୍ତ ମଲା ପରଠୁ ଜ୍ୱାଇଁ ଟଙ୍କା ହଜାରେ ଦିଅନ୍ତି l ପୁତୁରା ଆଣି ଗୋଟେ ମଠରେ ଛାଡ଼ିଦିଏ l ସେଇଠି ରହେ। ଏ ସାଲେ ମଠ ଭଙ୍ଗା ହେଇଯାଇଥିବାରୁ ଜଣଙ୍କର ବଖୁରେ ଘରକୁ ଭଡ଼ାରେ ନେଇ ରହୁଛି l ହେଲେ ଶାନ୍ତି ଲାଗୁନି l ସଫାସୁତୁରା କିଛି ନାହିଁ l ଖାଲି ମୂତୁରା ମୂତୁରା ଗନ୍ଧାଉଛି l କ’ଣ ଆଉ କରିବି ? ସଉପ ଖଣ୍ଡେ ପକେଇ ରାତିରେ ଗଡିପଡୁଛି l ଅଭଡ଼ା କିଣିକି ଖାଉଛି l ବୁଲି ବୁଲି ଠାକୁର ଦରଶନ, ପୁରାଣ ପଢ଼ା ଶୁଣି ଦିନ ବିତାଉଛି l
— ଏଁ..? ଆଲୋ ସଜନୀ ! ତୁ ଏଡ଼େ ଦୁଃଖରେ ଅଛୁ ? ହେଲେ ମୋ ଭାଗ୍ୟ ଭଲ l ମୋ ମଝିଆପୁଅ ସନା ଭାରି ଚତୁର l ସିଏ ରାଜନୀତିକରି ସବୁଲୋକଙ୍କୁ ଚିହ୍ନିଚି l ମୋ ନାଁ ସରକାରୀ ଖାତାରେ ଲେଖେଇ ମତେ ତା’ କାର୍ରେ ଆଣି ଭକତନିବାସରେ ରଖେଇ ମାଗଣା ଅଭଡ଼ାଖିଆଠୁ ଦେହ ପା’ ଯତନର ସବୁ ବ୍ୟବସ୍ଥା କରିଦେଇଛି l କ’ଣ କହିବି ସଜନୀ.. ସେ ଘର ତ ନୁହଁ ଯେମିତି ରାଜଉଆସ l ମୁଁ ଭାରି ଖୁସିରେ ଅଛି l
— ଆଲୋ ନାନୀ! ତୋର କୋଉଥିରେ ତ ଅଭାବ ନାହିଁ l ସରକାର ପରା କୁଆଡେ ଆମ ପରି ଗରିବ ଗୁରୁବାଙ୍କ ପାଇଁ ଏଇସବୁ ମାଗଣା ଯୋଜନା.. ମାଗଣା ହବିଷ ବ୍ୟବସ୍ଥା କରିଛନ୍ତି ! ହେଲେ ତମ ଭଳିଆ ସବୁଥାଇ ଧନୀହେଇ ଯେବେ ସବୁ ସୁବିଧା ହାତେଇନେବ.. ତେବେ ଆମ ଭଳିଆ ମଳିମୁଣ୍ଡିଆ ହଇରାଣ ହରକତ ହେବେ କି ନାହିଁ କହିଲ ?
କଥାଟା ସାଇଁକିନା ଶରବାଗିଆ ଯେମିତି ଚମ୍ପା ମାଉସୀ ଛାତିରେ ପଶିଗଲା l ରାଗ ତମତମ ହେଇ ଚିହିଁକିଉଠି କହିଲା… ହାଇଲୋ ହେ ଦରିଦ୍ରିଆଣୀ! ପତର ଗୋଟେଇ ଛତରଖାଇ ! ତୋ ଦିହ କାହିଁ ସହୁନି ଲୋ ? ଆମ ସରକାର ଆମ ପାଇଁ ସୁବିଧା କରିଛନ୍ତି l ମୋ ପୁଅ ଦଳ ପାଇଁ ବଳ ଖଟେଇ କାମକରୁଛି l ଆଉ ଆମକୁ ସୁବିଧା ନ ମିଳି ତମକୁ କିଆଁ ମିଳିବ ଲୋ ? ଚିହ୍ନିଛୁ ମତେ ! ବେଶି ରଗାନା କି ମୋ ଦେହ ଜଳାନା କହିଦଉଛି l ନଇଲେ ମୋ ପୁଅକୁ କହି ତୋ ବିଧବା ଭତ୍ତା ବନ୍ଦ କରିଦେବି l ତୋ ରାଶନ କାର୍ଡ ଅଚଳ କରିଦେବି l ତତେ ବଡ଼ଦାଣ୍ଡରେ ବସେଇଦେବି l ଆ… ରେ…! ମତେ ନାନୀ ବୋଲି ଡାକି ସୁତୁରେଇ ସୁତୁରେଇ କାନିକାଟି ମୋ ନାକ କାନ କାଟିବାକୁ ବସିଲୁଣି ତ? ମର l ସେଇ ପୁତୁରା ଆଣି ଛାଡ଼ିଥିବା ମୂତୁରା ଜାଗାରେ ପଡ଼ି ପଡ଼ି ମର l
ସଜନୀ ବି ଛାଡ଼ିବାର ନୁହଁ l ଲାଗିଗଲେ ବଡ଼ଦାଣ୍ଡରେ ଝଟାପଟା କଳିକଜିଆ। କହିଲା.. କହିଛି ଆଚ୍ଛା କରିଛି l ଆହୁରି କହିବି l ଛାତିରେ ହାତବାଡେଇ ଦାଣ୍ଡମଝିରେ ଗର୍ଜନକରି ସମସ୍ତଙ୍କୁ ଶୁଣେଇ କହିବି l ତୋ ଇଜ୍ଜତ ମହତ ସାରି କହିବି l ତମେ ଆମକୁ ଲୁଟୁଛ l ତମରି ପାଇଁ ଆମେ ଗରିବଗୁରୁବା ମରୁଛୁ l
–ହେ ହେ ସଜନୀ ! ଆଲୋ ଶୁଣୁ ବା l ଏକା ଗାଁ ପାଖରୁ ଆସିଛେ l ଏଇଠି ଆଉ ଏତେ ଲୋକଙ୍କ ଆଗରେ ଏମିତି ଲୋକହସା କର ନା l ଯଦି ସେମିତି କହୁଛୁ.. ଦେଖିବୁ ଏଇନେ.. ମୋ ପୁଅ ସନିଆକୁ ଫୋନ୍ କରିବି ? ଘଡ଼ିଏ ଲାଗିବନି ତୋ ରାଶନ କାର୍ଡ, ବିଧବାଭତ୍ତା କାଟିବାକୁ l ଫୋନ୍ କାଢୁ କାଢୁ ସଜନୀ ହାତ ଧରି ନରମେଇ କହିଲା… ”ଆଲୋ ନାନୀ ! ଆମେ ପରା ଶିରୀକ୍ଷେତର ଆଇଛେ l କ’ଣ ଧରମ କରିବାକୁ ନା କଳିକଜିଆ କରି ପାପ ଅରଜିବାକୁ? ଆଲୋ ଆମ ହାତରେ ପରା ତୁଳସୀମାଳ, ମଥାରେ ଚିତା, କଥାରେ କୃଷ୍ଣନାମ, ଚିତ୍ତରେ ପ୍ରଭୁଙ୍କୁ ଚିନ୍ତିବା କଥା l ଛି ଛି ମୁଁ ଅଲକ୍ଷଣୀ କ’ଣ କଲି? ସବୁ ଭୁଲିଯାଉଥିଲି l ହେଇଟି.. ତମେ ପରା ମୋ ବଡ଼ନାନୀ l ମତେ ଗାଳି ନ କରି ଟିକେ ଆକଟକରି ଅଟକେଇଦେଇଥିଲେ କ’ଣ ହେଇ ନ ଥାନ୍ତା ?“ ହଉ ଛାଡ଼ ସେକଥା l
ଚମ୍ପା ମାଉସୀ କହିଲା.. ”ହାଇଲୋ ସଜନୀ ! ତୁ କ’ଣ ମୋ କଥା ଜାଣିନୁ? ମୁଁ କୋଉଦିନ ମାଛିକି ମ ବୋଲି କହେ ନା କାହା ଅମଙ୍ଗଳ ପଞ୍ଚେ ? ତତେ କ’ଣ ମୁଁ ପାଟି ଫିଟେଇ କିଛି କହିଛି ?“
–ନାଇଁ ବା ନାନୀ, ତମ ପେଟରେ କ’ଣ କିଛି ଥାଏ? ଖାଲି ପାଟିଟା ଯାହା ରାଉ ରାଉ ହଉଥାଏ l“ ଆଲୋ ହେ.. କଥାରେ କଥାରେ ବେଳ ବୁଡ଼ିଲାଣି l ଚାଲ ବା ମିଶିକି ଦେଉଳ ଯିବା l ଏକାଠି ପୁରାଣ ଶୁଣିବା l
ମନ୍ଦିରକୁ ପଶିଲାବେଳେ ସଜନୀ ମାଉସୀ ଚମ୍ପା ମାଉସୀର ଚମ୍ପାରଙ୍ଗର ପାଟଶାଢ଼ି କି ଅନେଇଁ ଅନେଇଁ ମନେ ମନେ କହୁଥାଏ.. ”ତୁ ମରୁନୁ ଲୋ ବାଡ଼ିଖାଇ l ଆମ ପାଇଁ ସରକାରୀ ସୁବିଧାରେ ଭାଗ ବସଉଛୁ… ସବୁ ଥାଇ ମାଗଣା ହବିଷକରି ଅଭଡ଼ା ଗିଳିବାକୁ ଧାଇଁଆଇଛୁ… l “
-ମଙ୍ଗରାଜ ପୁର, ପୁରୀ, ମୋ: ୭୦୦୮୧୮୮୮୪୭