Posted inଫୁରସତ

ଯାହାବି କରୁଛ କର…

ସାହୁଭାଇ ଟାଇଁ ଟାଇଁ ଖରାରେ ଜମିବାଡ଼ି ମାମଲାରେ ତହସିଲ ଅଫିସରୁ ଚାରି କିଲୋମିଟର ଚାଲିଚାଲି ଘରେ ପହଞ୍ଚିଲେ l ଶାନ୍ତି ଭାଉଜ ତାଙ୍କ ପତିଙ୍କ ହାଁ ଭୋକ -ହାଁ ଶୋଷ ଲାଗୁଥିବା -ହାଲିଆ ଦିଶୁଥିବା ଜାଣି, ବେଲାଏ ବାସିପଖାଳରେ ଦି’ପୋଷ ବସାଦହି ପକେଇ-ଲୁଣ ଗୋଳେଇ, ତା’ ସାଙ୍ଗକୁ ଆଳୁ ବାଇଗଣ ସନ୍ତୁଳା, ଛୁଇଁ ବେସର ଭଜା, ବାଢ଼ିକି ଥୋଇଦେଲେ। ସାହୁଭାଇ ସେତକ ଖାଇ ସଉପ ଖଣ୍ଡେ ପକେଇ ଶୋଇଗଲେ l ଗାଢ଼ା ନିଦରେ ଶୋଇ କ’ଣ କ’ଣ ସପନ ଦେଖି ଚିଲେଇଲେ.. ହଁ ହଁ ମୁଁ.. ମୁଁ ସେଇ ଲୋକ l ଦିଅ ଦିଅ.. ମତେ ଦିଅ ! ଶାନ୍ତି ଭାଉଜ, ଭାଇଙ୍କ ପାଟି ଶୁଣି ଧାଇଁଆସି ହଲେଇ ପଚାରିଲେ –ହେ ହେ, କାହାକୁ କ’ଣ ବିଳି ବିଳେଇ ହେଇ ମାଗୁଛ ବା? ଜମି ଖଣ୍ଡେ କିଣି ଆଠ ଆଠଥର ଧାଇଁ ଏତେଦିନ ହେଲା -ପଟ୍ଟା ଖଣ୍ଡକ ଆଣି ତ ପାରୁନା l ଆଉ ଦିନଟାରେ ସପନରେ କୋଉ ହକ ମାଗୁଛ.. ଶୁଣେ! ସାହୁଭାଇ ଆଖି ଖୋଲି ଉଠି ଭାଉଜଙ୍କୁ ପାଟିକରି କହିଲେ… ହା ତୁ କ’ଣ କଲୁ ଲୋ ! ଅସଲ ବେଳାରେ ମୋ ପାଇବା ଦରବକୁ ମୋଠୁ ହାତଛଡ଼ା କରେଇଦେଲୁ ! ଆଉ ଟିକେ ଅଟକି ନ ଯାଇ ମତେ ପଛରୁ ଡାକିଦେଲୁ କିଆଁ ଲୋ? –ମଲାମର, ମୁଁ କ’ଣ ତମ କାଢ଼ପଣ ଜାଣିନି? ତମେ ପରା ମଲା କଙ୍କଡ଼ାକୁ ସରି ନୁହଁ। କୋଉ ଭଗବାନ ତମ କୋଉ ଗୁଣ ଦେଖି, ତମ ଚାଳ କଣାକରି କ’ଣ ଆକାଶରୁ ଗଳଉଥିଲେ.. କହିଲ କହିଲ ! –ଏଁ..,, ତୁ ଶୁଣିବୁ? ଛି, ଜାଣିଚୁ, ତୋ ପାଇଁ ମୋର କେତେ ଲସ୍‌ ହେଲା? ମୁଁ ଏଇନା ଆମେରିକାରେ ଥିଲି। ତାଙ୍କ ରାଷ୍ଟ୍ରପତିଙ୍କ ହାତରୁ ଡାଇରେକ୍ଟ ଶାନ୍ତି ପାଇଁ ନୋବେଲ ପୁରସ୍କାର ସାଙ୍ଗେ କୋଟିଏ ଡଲାର ଧରିବାକୁ ଧାଉଁ ଧାଉଁ.. ସବୁ ତୁ ବିଗାଡ଼ିଦେଲୁ ! –ହଇଓ! ଏଡ଼େ ବାହାପିଆ ମଣିଷ ତେମେ? କୋଉ କାମ ତମର ଦେଖି ଏଡ଼େବଡ଼ ପୁରସ୍କାର ଦଉଥିଲେ, କହିଲ.. ମୁଁ ଶୁଣେ ! –ସତ କହୁଛିଲୋ ଶାନ୍ତି! ମୋ କଥା-କାର୍ଯ୍ୟଦକ୍ଷତାରେ ସନ୍ତୁଷ୍ଟ ହୋଇ ସେଇ ଶାନ୍ତିର ନୋବେଲ ପ୍ରାଇଜ୍‌ ମୋ ନାଁରେ ଘୋଷଣା ସରିଥିଲା l ଖାଲି ଆଣିବାକୁ ବାକିଥିଲା l ଧେତ୍‌ ତୁ ମାଇପି ଲୋକ, କାହୁଁ ବୁଝିବୁ.. ଆଜିକାଲି ସବୁଠି ଅଶାନ୍ତି! ସେବା ନାଁରେ ଶୋଷଣ.. ପ୍ରିୟା-ପ୍ରୀତି ତୋଷଣ.. ଟଙ୍କା ପଇସା ଶୋଷଣ ଚାଲିଛି ! ତେଣୁ ହବା କାମ ହେଉନି, ମାତ୍ର ନ ହେବା କାମ ହୋଇଯାଉଛି l ହିଂସା-ବାଦ, ଦୁର୍ନୀତିର ଦୁର୍ଗନ୍ଧ ଚାରିଆଡ଼େ ବ୍ୟାପିଯାଉଛି l ଏମିତିକି ଶିରା-ପ୍ରଶିରାରେ ରକ୍ତରେ ମିଶିଗଲାଣି l କେମିତି ଏହାର ମୂଳ ଓପଡ଼ାଯିବ, ଏଇକଥା ଭାବି ତହସିଲରୁ ନିରାଶ ହୋଇ ଅଣନିଃଶ୍ୱାସରେ ଘରକୁ ଆସୁ ଆସୁ ବାଟରେ ଗୋଟେ ବିରାଟ ମଞ୍ଚରୁ ମାଇକିର ଗର୍ଜନ ଶୁଣି ଧାଇଁଗଲି l ମତେ ଦେଖୁ ଦେଖୁ ସେମାନେ କ’ଣ ଭାବିଲେ କେଜାଣି, ଫୁଲତୋଡ଼ା ଦେଇ, ପାଛୋଟି ନେଇ, ମୋ ହାତକୁ ମାଇକ୍ରୋଫୋନ ଧରେଇଦେଲେ l ତାଙ୍କ ମୁଖିଆ କହିଲେ.. ଏ ସମାଜ ସୁଧାରିବା ପାଇଁ -ଦୁର୍ନୀତିମୁକ୍ତ ଉଦ୍ଦେଶ୍ୟରେ ଆପଣଙ୍କ ସୁଚିନ୍ତିତ ମତାମତ କ’ଣ କୁହନ୍ତୁ! ମୁଁ ଚାରିଆଡ଼କୁ ଚାହିଁଲି l ଶାନ୍ତି ଲୋ ! କେଇଯେ ମାଇପି-ମରଦ, କେଡ଼େକେଡ଼େ ବାବୁ-ବାବୁଆଣୀ, ମୋ କଥା ଶୁଣିବାକୁ କାନ ଡେରି ଅନେଇଥାନ୍ତି! ଯେମିତି ମୁଁ ସେଇ ଯନ୍ତ୍ରକୁ ଧରିଛି, ମୋ ଭିତରେ ତ୍ରିଶକ୍ତିର ସଞ୍ଚାର ହୋଇଗଲା l ତୁ ଯେମିତି ଘରେ ଗର୍ଜନକରି ତୋ ଗିରସ୍ତକୁ କହୁ, ନେତୃଗଣ ନିର୍ବାଚନ ମଇଦାନରେ ଯେଭଳି ନନ୍‌-ଷ୍ଟପ୍‌ ଭାଷଣ ଦିଅନ୍ତି -ତା’ ସାଥିରେ ମୋ ଆତ୍ମଶକ୍ତିକୁ ମିଶେଇଲାବେଳେ ମତେ ଲାଗିଲା, ସତେ ଯେମିତି ଦୁର୍ଗା-କାଳୀ-ସରସ୍ବତୀ.. ମୋ ଭିତରେ ଏକାବେଳେ ପ୍ରବେଶ କରିଗଲେ l ତହୁଁ ଛାତିକି ଫୁଲେଇ, ଗଳାକୁ ବସେଇ କହିଲି.. ବନ୍ଧୁଗଣ ! ଆମେ ସବୁ ଭାଇ-ଭଉଣୀ, ମଉସା-ମାଉସୀ, ଉତ୍କଳବାସୀ.. ଭାରି ସାହସୀ ! ଆମେ ଯାହାବି କରିବା.. ସବୁକିଛି ଶାନ୍ତିପୂର୍ଣ୍ଣଭାବରେ କରିବା! ଶାନ୍ତି ବଳରେ ଆମେ ଦୁର୍ନୀତିର ଚେର ମୂଳ ଓପାଡ଼ି ଫୋପାଡ଼ି ପାରିବା l ଏଥିପାଇଁ ହରତାଳ -ଗଣ୍ଡଗୋଳ ହେଉ କି ବାଡ଼ିଆବାଡ଼ି -ମୁଣ୍ଡ ଫଟାଫଟି ହେଉ, ମୋ କହିବା କଥାହେଲା.. ସବୁ ଶାନ୍ତିପୂର୍ଣ୍ଣ ଭାବରେ ହେଉ ! ଦରକାର ପଡ଼ିଲେ ଦାବି ପୂରଣ ଦିଗରେ ଏକଜୁଟ ହୋଇ ନିଜ-ନିଜ ଭିତରେ ଲଢ଼ାଲଢ଼ି -ଗଡ଼ା ଗଡ଼ି, ଖଣ୍ଡିଆଖାବରା ବରଂ ହେଉ.. ଦୁଃଖ ନାହିଁ, ହେଲେ ସବୁ କିଛି ଶାନ୍ତିପୂର୍ଣ୍ଣଭାବରେ ହେଉ ! ବ୍ୟାରିକେଡ୍‌ ଭାଙ୍ଗି ଆସେମିଲି ହଲ୍‌ ଭିତରେ ସାହସ ସହକାରେ ଧସେଇ ପଶିବାକୁ ଗଲାବେଳେ ପୁଲିସି ଭାଇମାନଙ୍କ ଠେଙ୍ଗାର ଲଂଘା ମାଡ଼ରେ ଦେହରୁ ଝରଝର ରକତ ଝରୁ କି ନାରୀମାନଙ୍କ କେଶକୁ, ଧୁସା.. ଦ୍ରୌପଦୀଙ୍କୁ ଧରି.. ଘୋଷାରି ଘୋଷାରି କିଏ ନେଲାବେଳେ, ମଉକା ପାଇ ପିନ୍ଧା-ଶାଢ଼ି ଭିଡ଼ିନିଅନ୍ତୁ, ମାତ୍ର ସବୁ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପାଦିତ ହେଉ l ନାନୀମାନେ ନାରୀ-ସଶକ୍ତୀକରଣ ଯୋଜନାକୁ ସଫଳ କରିବାକୁ ଗଲାବେଳେ ମିଳିଥିବା ଟଙ୍କା ପଇସା ହିସାବ ଭାଗବଣ୍ଟାବେଳେ ନ ତୁଟିଲେ, ଟଣା ଘୋଷରା ହୋଇ ରାସ୍ତାରେ ଗଡ଼ି ଧୂଳି ଧୂସରିତ ହୁଅନ୍ତୁ.. ମନା ନାହିଁ, ମାତ୍ର ତାହା ଶାନ୍ତିପୂର୍ଣ୍ଣଭାବେ ହେଉ l ରାଜ୍ୟ କି ରାଷ୍ଟ୍ର ସୀମା ବିବାଦ ବା ଦେଶ-ଦେଶ ଭିତରେ ଯୁଦ୍ଧବେଳେ ଠେଲାପେଲା ଚାଲୁ ନଚେତ୍‌ ଗୋଳା ବାରୁଦ, ବନ୍ଧୁକ, ତୋପ, କମାଣ ଫୁଟୁ କିମ୍ବା ବମ୍‌ ବର୍ଷଣ ହେଉ, ମାତ୍ର ମୋ କହିବା କଥା.. ସବୁ ଶାନ୍ତିପୂର୍ଣ୍ଣ ଭାବରେ ହେଉ l ଆତଙ୍କବାଦିଆ ହୁଅନ୍ତୁ କି ସନ୍ତ୍ରାସବାଦିଆ, ମାଫିଆ ହୁଅନ୍ତୁ କି ମାଓବାଦିଆ.. ସେମାନେ ମାରନ୍ତୁ ମନା ନାହିଁ, କିନ୍ତୁ ତାହା ଶାନ୍ତିପୂର୍ଣ୍ଣ ଭାବେ କରନ୍ତୁ ! ବନ୍ଧୁଗଣ ! ମୋ କହିବାକଥା ହେଲା -ଯଦି ଘରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ାବେଳେ ବାଡ଼ାବାଡ଼ି -କାନ ରଗଡ଼ା ରଗଡ଼ି ଅବା ବେଲେଣା କାଠି, ପନିକି, କୋରଣାରେ ଯୁଦ୍ଧ କରୁଛନ୍ତି କିମ୍ବା ସାହି- ପଡ଼ୋଶୀ କଳିକରି ଟେକା ପଥରରେ ମରାମରି ହେଉଛନ୍ତି, ହେଉ, ମାତ୍ର ସବୁ ଶାନ୍ତିପୂର୍ଣ୍ଣଭାବରେ ହେଉ l ଇଲେକ୍ଟ୍ରି ବିଲ୍‌ ମାଗୁଥିବା, ଫରେଷ୍ଟ ଜଗୁଥିବା, ସ୍ବାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀ ହୁଅନ୍ତୁ କି ସରକାରୀ-ବେସରକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ହୁଅନ୍ତୁ, ତାଙ୍କୁ ଆକ୍ରମଣକରି ମରିବା ଯାଏଁ କଥା ଯାଉ, ମାତ୍ର ଶାନ୍ତିପୂର୍ଣ୍ଣ ଭାବରେ ହେଉ l ବେନିୟମ ବାଲି ଉଠାଣ, ବୃକ୍ଷଛେଦନ, ପରିବେଶ ପ୍ରଦୂଷଣ ହେଉ, ନଇଲେ ପଶୁ-ହତ୍ୟା, ନାରୀ-ହତ୍ୟା, ଶିଶୁ-ହତ୍ୟା କି ପେଟରୁ ଭ୍ରୂଣ-ହତ୍ୟା.. ସବୁ ଶାନ୍ତିପୂର୍ଣ୍ଣ ଭାବେ ହେଉ l ନିର୍ବାଚନ କ୍ଷେତ୍ର -ରଣକ୍ଷେତ୍ରରେ ପରିଣତହୋଇ କ୍ଷତାକ୍ତ -ମୃତାହତ ହୁଅନ୍ତୁ, ମାତ୍ର ସବୁ ଶାନ୍ତିରେ ହେଉ l ସାଧୁ-ସନ୍ଥଙ୍କୁ ନିର୍ଯ୍ୟାତନା, ନିର୍ଦ୍ଦୋଷ ସ୍ବାମୀ /ସ୍ତ୍ରୀଙ୍କୁ ଜେଲଖାନା, ପିତାମାତାଙ୍କୁ ଜରା ନିବାସ ପ୍ରେରଣ, ପାପ-ପ୍ରୀତିରେ ଗର୍ଭଧାରଣ, ଅଲୋଡ଼ା ସନ୍ତାନକୁ ଛଡ଼ାଯାଉ ଅନାଥ ଆଶ୍ରମରେ, ନଇଲେ ଫୋପଡ଼ାଯାଉ ରାସ୍ତାକଡ଼ରେ କିମ୍ବା ଅସୁର-ନାଶିନୀ ମା’ ଦୁର୍ଗାଙ୍କ ପୂଜା ନାଁରେ କି କେଉଁ ପୂଜା ପାର୍ବଣ ପାଇଁ ଜବରଦସ୍ତ ଚାନ୍ଦା ଆଦାୟ ବେଳେ ଗାଳିଗୁଲଜ -ମରାମରି ଯାଏଁ ଯାଉ, ମାତ୍ର ସବୁ ଶାନ୍ତିପୂର୍ଣ୍ଣ ଭାବରେ ହେଉ l କାରଣ ପ୍ରତ୍ୟେକଙ୍କର ସ୍ବାଧୀନତା ଜନ୍ମଗତ ଅଧିକାର। ଆମର କି ଅଧିକାର ଅଛି ଯେ -ଅନ୍ୟର ସ୍ବାଧୀନତାରେ ହସ୍ତକ୍ଷେପ କରିବା? ତେଣୁ ମୋ କହିବାର ଅର୍ଥ.. ସମାଜରେ ଯିଏ ଯେତେ ବ୍ୟଭିଚାର, ଚୋରି, ଲୁଣ୍ଠନ, ନିଶାପାନ କରନ୍ତୁ.. ମନା ନାହିଁ l ମାତ୍ର ସବୁ ଶାନ୍ତିପୂର୍ଣ୍ଣ ଭାବରେ ହେବା ନିହାତି ଦରକାର l କାରଣ ଦୁନିଆରେ ସମସ୍ତେ ଶାନ୍ତି ଚାହୁଁଥିବାରୁ, ମୋ ଆଖିରୁ ଧାରଧାର ଲୁହ ବୋହୁଥିଲେ ବି ମୋ ଶାନ୍ତି ଘରୁ ବାହାରକୁ ବାହାରି ଶାନ୍ତିପ୍ରାପ୍ତି ଆନ୍ଦୋଳନରେ କେବେଠୁ ନିଜକୁ ସାମିଲ କରିସାରିଲାଣି l ମୋର ପୂରା ବିଶ୍ୱାସ.. ଯାହାବି ହେଉଛି ବା ହେବାକୁ ଯାଉଛି.. ସବୁ ଶାନ୍ତିପୂର୍ଣ୍ଣଭାବରେ ହିଁ ସଫଳ ହେଉଛି l ବାସ୍‌! ଏଇ ଶାନ୍ତିପୂର୍ଣ୍ଣ ସାରଗର୍ଭକ ମୋ ମତାମତ ସଭାରେ ସମସ୍ତଙ୍କ ମନକୁ ପାଇବାରୁ ସୋସିଆଲ ମିଡିଆ, ପ୍ରେସ୍‌ ମିଡିଆ, ଇଲେକ୍ଟ୍ରୋନିକ୍‌-ମିଡିିଆ, ତୁଣ୍ଡ-ମିଡିଆ ମାଧ୍ୟମରେ କ୍ଷିପ୍ର ବେଗରେ ସାରା ଦୁନିଆରେ ପ୍ରଚାରିତ -ପ୍ରସାରିତ ହୋଇ ଯେମିତି ଆମେରିକା କାନରେ ବାଜିଗଲା, ସେଇଠୁ ଶାନ୍ତିର ବିଶ୍ୱ ବିଖ୍ୟାତ ନୋବେଲ ପୁରସ୍କାର ମୋ ନାମରେ ଘୋଷଣାକରି -ଡାକୁଥିଲେ ମୋ ନାଁ ଧରି l କିନ୍ତୁ ହାୟ ତମେ ନାରୀ ! ତମେ ସବୁଦେଲ ସାରି !!

-ମଙ୍ଗରାଜପୁର, ପୁରୀ
ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri