Categories: ଜାତୀୟ

କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ …

ନୂଆଦିଲ୍ଲୀ, ୧୭।୧ : ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରବିବାର-ସୋମବାର ବିଳମ୍ବିତ ରାତିରେ ସେ ହୃଦ୍‌ଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୮୩ରେ ତାଙ୍କୁ ପଦ୍ମ ବିଭୁଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେ ସଙ୍ଗୀତ ନାଟକ ଏକାଡେମୀ ଏବଂ କାଳିଦାସ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଥିଲେ।

ତାଙ୍କ ନାତି ସ୍ବରାଶଂ ମିଶ୍ର ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଗାୟକ ଅଦନାନ ସାମି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଦନାନ ସାମି ସୋସିଆଲ ମିଡିଆରେ ଲେଖିଛନ୍ତି , ମହାନ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଆଜି ଆମେ କଳା କ୍ଷେତ୍ରରେ ଜଣେ ଅନନ୍ୟ ପ୍ରତିଭାଙ୍କୁ ହରାଇଛୁ। ସେ ନିଜ ପ୍ରତିଭା ସହିତ ବହୁ ପିଢ଼ିଙ୍କୁ ପ୍ରଭାବିତ କରିଛନ୍ତି।

ଲକ୍ଷ୍ନୌ ଘରାନା ସହିତ ଜଡ଼ିତ ଥିବା ବିରଜୁ ମହାରାଜ ୪ ଫେବୃଆରୀ ୧୯୩୮ରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ପଣ୍ଡିତ ବ୍ରିଜମୋହନ ମିଶ୍ର ଥିଲା। କଥକ ନୃତ୍ୟଶିଳ୍ପୀ ବ୍ୟତୀତ ସେ ଜଣେ ଶାସ୍ତ୍ରୀୟ ଗାୟକ ମଧ୍ୟ ଥିଲେ। ବିରଜୁ ମହାରାଜଙ୍କ ପିତା ତଥା ଗୁରୁ ଅଚ୍ଛନ ମହାରାଜ, ଦାଦା ଶମ୍ଭୁ ମହାରାଜ ଏବଂ ଲଚ୍ଛୁ ମହାରାଜ ମଧ୍ୟ ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ଥିଲେ।
ଦେବଦାସ, ଦେଢ଼ ଇଶ୍କିଆ, ଉମ୍ରାଓ ଜାନ ଏବଂ ବାଜି ରାଓ ମସ୍ତାନୀଙ୍କ ଭଳି ଚଳଚ୍ଚିତ୍ର ପାଇଁ ବିରଜୁ ମହାରାଜ ଡ୍ୟାନ୍ସ କୋରିଓଗ୍ରାଫ କରିଥିଲେ। ଏହା ବ୍ୟତୀତ ସେ ସତ୍ୟଜିତ୍‌ ରାୟଙ୍କ ଫିଲ୍ମ ସତରଞ୍ଜ କେ ଖିଲାଡିରେ ସଙ୍ଗୀତ ମଧ୍ୟ ଦେଇଥିଲେ।
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ଖୈରାଗଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିରଜୁ ମହାରାଜଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା। ୨୦୧୨ ରେ, ତାଙ୍କୁ ବିଶ୍ୱରୂପମ ଚଳଚ୍ଚିତ୍ରରେ ଡ୍ୟାନ୍ସ କୋରିଓଗ୍ରାଫି ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବାବେଳେ  ୨୦୧୬ ରେ, ବାଜିରାଓ ମସ୍ତାନୀଙ୍କ ଗୀତ ‘ମୋହେ ରଙ୍ଗ ଦୋ ଲାଲ’ କୋରିଓଗ୍ରାଫି ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା।

 

Share