ଗୁପ୍‌ଚୁପ୍‌ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ

କାଠମାଣ୍ଡୁ,୨୭।୬: ଘାଟିରେ ହଇଜା ରୋଗ ବୃଦ୍ଧି ପାଉଥିବାରୁ କାଠମାଣ୍ଡୁ ଉପତ୍ୟକାର ଲଲିତପୁର ମହାନଗର ନିଗମ(ଏଲ୍‌ଏମ୍‌ସି)ରେ ଗୁପ୍‌ଚୁପ୍‌ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ହଇଜାର ୧୨ଟି ମାମଲା ସାମ୍ନାକୁ ଆସିସାରିଛି। ଶନିବାର ସହରରେ ଗୁପ୍‌ଚୁପ୍‌ ବିକ୍ରୟ ତଥା ବଣ୍ଟନ ଉପରେ ନିଷିଦ୍ଧାଦେଶ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ସହରର ଗୁପ୍‌ଚୁପ୍‌ରେ ବ୍ୟବହୃତ ପାଣିରେ ହଇଜା ଭୂତାଣୁ ମିଳିଥିବା ନେଇ ପ୍ରଶାସନ ପକ୍ଷରୁ ଦାବି କରାଯାଇଥିଲା। ଏହାପରେ ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଗୁପ୍‌ଚୁପ୍‌ ବିକ୍ରିକୁ ବନ୍ଦ କରିବା ପାଇଁ ଆଭ୍ୟନ୍ତରୀଣ ପ୍ରସ୍ତୁତି ଚାଲିଛି ବୋଲି ସିଟି ପୋଲିସ ମୁଖ୍ୟ ସୀତାରାମ ହଚେଥୁ କହିଛନ୍ତି। ଉପତ୍ୟକାରେ ହଇଜା ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ଓ ଜନସଂଖ୍ୟା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କାଠମାଣ୍ଡୁ ଉପତ୍ୟକାରେ ଆଉ ୭ଜଣ ହଇଜା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରୋଗୀଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି।

Share