Advertisement

ଗ୍ରାମକୁ ବିସ୍ଥାପିତ କରିବା ଦାବିରେ ବେଦାନ୍ତ ପ୍ରକଳ୍ପ ସମ୍ମୁଖରେ କାତିକେଲାବାସୀଙ୍କ ଆନ୍ଦୋଳନ

ଝାରସୁଗୁଡା ଅଫିସ, ୮।୪: ଝାରସୁଗୁଡା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ ପ୍ରକଳ୍ପ ଫାଟକ ସମ୍ମୁଖରେ କାତିକେଲାବାସୀ ଗୁରୁବାର ସକାଳ ୬ଟାରୁ ଧାରଣା ଦେଇଛନ୍ତି। ପାଉଁଶ ପୋଖରୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା କାତିକେଲାବାସୀ ଗ୍ରାମକୁ ବିସ୍ଥାପିତ କରିବା ଦାବିରେ ଏହି ଆନ୍ଦୋଳନ କରିତିବା ଜଣାପଡ଼ିଛି। ତେବେ ଗ୍ରାମବାସୀଙ୍କ ଏହି ଆନ୍ଦୋଳନକୁ ଭାଜପା ଓ ଝାରସୁଗୁଡାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ଖବର ପାଇ ଜିଲା ପ୍ରଶାସନ ପକ୍ଷରୁ ତହସିଲଦାର, ବିଡିଓ ଓ ବଡମାଲ ଥାନା ଆଇଆଇସି ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୪ରେ କ୍ଷତିଗ୍ରସ୍ତ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ଦାବି ସମ୍ପର୍କରେ ପୁନର୍ବାର ଅବଗତ କରିବା ସହ ମାର୍ଚ୍ଚ ୧୮ରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ। ହେଲେ ଏହା ପୂର୍ବରୁ ଜିଲାପ୍ରଶାସନ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଏପ୍ରିଲ ୭ରେ ଏକ ତ୍ରିପାକ୍ଷିକ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ନିର୍ଦ୍ଧାରିତ ହୋଇଥିବା ସମୟ ସୀମା ମଧ୍ୟରେ କୌଣସି ଆଲୋଚନା ନ ହୋଇ ପୁନର୍ବାର ଆଲୋଚନା ପାଇଁ ସମୟ ବୃଦ୍ଧି କରାଯାଇଥିଲା। ତେଣୁ ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଗୁରୁବାର ସକାଳୁ ପ୍ରକଳ୍ପ ଫାଟକ ସମ୍ମୁଖରେ ଧାରଣାରେ ବସି ଆନ୍ଦୋଳନ କରିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share