ବମ୍ବେ: ବିବାହ ପରେ ପ୍ରଥମ କରଓ୍ବାଚୌଥ ପାଳିଲେ ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ। ସ୍ବାମୀ ବିକ୍କି କୌଶଲଙ୍କ ପାଇଁ ସେ ବ୍ରତ ରଖିଥିଲେ। ଶାଶୁଶ୍ୱଶୁରଙ୍କ ସହ ବେଶ ଧୁମଧାମରେ କଟ୍ରିନା ଏହି ବ୍ରତ ସମାପନ କରିଛନ୍ତି। ଏହାର କିଛି ଫଟୋ ସେ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋଗୁଡ଼ିକ ବେଶ ଭାଇରାଲ ମଧ୍ୟ ହେଉଛି।
ମଥାରେ ସିନ୍ଦୁର, ଲାଲ ବିନ୍ଦି ସାଙ୍ଗକୁ ହାତରେ ଲାଲ୍ ଚୁଡା ଆଉ ଗୋଲାପୀ ଶାଢ଼ି ପିନ୍ଧି ବେଶ ସୁନ୍ଦର ଲାଗୁଥିଲେ କଟ୍ରିନା। ଏଥିସହ ସେ ବେକରେ ମଙ୍ଗଳସୂତ୍ର, କାନରେ ଝୁମ୍କା ଏବଂ ନିର୍ବନ୍ଧ ମୁଦି ପିନ୍ଧିବାକୁ ଭୁଲି ନ ଥିଲେ। ଏହା ତାଙ୍କ ଲୁକ୍କୁ କମ୍ଲିମେଣ୍ଟ ଦେଇଥିଲା। ନୂଆ ଘରେ ପରିବାର ସହ ଏହି ପୂଜା କରିବା ପରେ କଟ୍ରିନା ବାଲକନୀରେ ଫଟୋ ଉଠାଇଥିଲେ।
ତେବେ ବିକ୍କି-କଟ୍ରିନା ଡିସେମ୍ବର ୯ରେ ରାଜସ୍ଥାନରେ ଗ୍ରାଣ୍ଡ ଓ୍ବେଡିଂ କରିଥିଲେ। ବିବାହ ପରେ ଉଭୟ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାର ଅନେକ ଭିଡିଓ ବି ଭାଇରାଲ ହୋଇଥିଲା।