ଭିକି-କଟ୍ରିନାଙ୍କ ବିବାହର ସୁରକ୍ଷା ଦାୟିତ୍ୱରେ ସଲମାନଙ୍କ ବଡିଗାର୍ଡ

ମୁମ୍ବାଇ,୬।୧୨: ଚଳିତ ସପ୍ତାହରେ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କଟ୍ରିନା କୈଫ ଓ ଭିକି କୌଶଲ। ଏହି ସିକ୍ରେଟ ବିବାହକୁ ସୁରକ୍ଷା ଯୋଗାଉଛନ୍ତି ବଲିଉଡ୍‌ ସୁପରଷ୍ଟାର ତଥା କଟ୍ରିନାଙ୍କ ପୂର୍ବତନ ବୟଫ୍ରେଣ୍ଡ ସଲମାନ ଖାନଙ୍କ ବଡିଗାର୍ଡ ଶେରା।

ପିଙ୍କଭିଲାରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ରାଜସ୍ଥାନର ସଓ୍ବାଇ ମାଧୋପୁରସ୍ଥିତ ସିକ୍ସ ସେନସେସ ଫର୍ଟରେ ୩ ଦିନ ଧରି ବିବାହ ଉତ୍ସବ ଆୟୋଜିତ ହେବ। ୩୮ ବର୍ଷୀୟା କଟ୍ରିନା ଓ ୩୩ ବର୍ଷୀୟ ଭିକି ଆସନ୍ତା ୯ ତାରିଖରେ ବିବାହ କରିବେ। ଏଥିପୂର୍ବରୁ ୭ ତାରିଖରେ ସଙ୍ଗିତ ଓ ୮ରେ ମେହେନ୍ଦି ଉତ୍ସବ ହେବାର ଅଛି। ଏହି ଇଭେଣ୍ଟର ସୁରକ୍ଷା ଦାୟିତ୍ୱ ନେଇଛି ସଲମାନଙ୍କ ପ୍ରାଇଭେଟ ବଡିଗାର୍ଡ ଗୁରମିତ ସିଂ (ଶେରା)ଙ୍କ କମ୍ପାନୀ ଟାଇଗର ସିକ୍ୟୁରିଟି। କମ୍ପାନୀର ବାଉନ୍ସର ଓ ଅନ୍ୟ ସୁରକ୍ଷାକର୍ମୀଙ୍କ ପାଇଁ ଚଉଥ କା ବରଓ୍ବାଦାରେ ଥିବା ଧରମଶାଳାରେ ରହଣୀ ବ୍ୟବସ୍ଥା କରାଯାଇଛି।

ଏହି ବିବାହକୁ ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିଗତ ରଖିବା ପାଇଁ ଭିକି ଓ କଟ୍ରିନା କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କେବଳ ନନ୍‌-ଡିସକ୍ଲୋଜର ଏଗ୍ରିମେଣ୍ଟରେ ହସ୍ତାକ୍ଷର କରିଥିବା ଅତିଥିମାନେ ଏହି ଉତ୍ସବରେ ଯୋଗଦେଇପାରିବେ। ଅତିଥିଙ୍କୁ ସିକ୍ରେଟ କୋଡ୍‌ ଯୋଗାଇ ଦିଆଯାଇଛି, ଯାହା ଦ୍ୱାରା ସେମାନେ ବିବାହ ଭେନ୍ୟୁ ଓ ସେମାନଙ୍କ ପାଇଁ ବୁକ ଥିବା ହୋଟେଲ ରୁମ ଆକ୍ସେସ କରିପାରିବେ। ବିବାହ ଉତ୍ସବରେ ଅତିଥିଙ୍କ ଫୋନ ବ୍ୟବହାର ଏବଂ ଫଟୋ ଉଠାଇବା ଉପରେ କଟକଣା ଲଗାଯାଇଛି, ଯାହାକି ସେଲିବ୍ରିଟିଙ୍କ ବିବାହରେ ଏବେ ସାଧାରଣ।

Share