ହନିମୁନ୍‌ରେ ଯିବେ ନାହିଁ କାଟ୍ରିନା-ଭିକି

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ହେବାକୁ ଯାଉଛି। ଏହି ସମୟରେ ଶୁଣିବାକୁ ମିଳୁଛି, ବିବାହ ପରେ ଦୁହେଁ ହନିମୁନ୍‌ରେ ଯିବେ ନାହିଁ। କୁହାଯାଉଛି, ବିବାହ ପରେ କାଟ୍ରିନା ତାଙ୍କ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ର ଶୁଟିଂ ଆରମ୍ଭ କରିବେ। ନିର୍ଦ୍ଦେଶକ ଦିନେଶ ଭାଇଜାନଙ୍କ ଆଗାମୀ ଫିଲ୍ମ ପାଇଁ ଶୁଟିଂରେ ବ୍ୟସ୍ତ ରହିବେ ଭିକି କୌଶଲ। ଯେଉଁଥିପାଇଁ ସେମାନଙ୍କର ହନିମୁନ୍‌ ସ୍ଥଗିତ ରହିବ।

ଡିସେମ୍ବର ୧୫ରୁ ମୁମ୍ବାଇରେ ‘ମେରୀ ଖ୍ରୀଷ୍ଟମାସ’ ପାଇଁ ଶୁଟିଂ ଆରମ୍ଭ କରିବେ କାଟ୍ରିନା। ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟ ସେତୁପାଠୀଙ୍କ ସହ ମୁମ୍ବାଇରେ ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ‘ମେରୀ ଖ୍ରୀଷ୍ଟମାସ’ର ଶୁଟିଂ ଆରମ୍ଭ କରିବେ। ରମେଶ ତୌରାନୀ ଏହି ଫିଲ୍ମ ନିର୍ମାଣ କରୁଛନ୍ତି। କାଟ୍ରିନା ଫିଲ୍ମ ନିର୍ମାତାଙ୍କୁ ତାଙ୍କ ଶୁଟିଂ ତାରିଖ କହି ସାରିଛନ୍ତି। ପ୍ରଥମେ ଭାରତରେ ଏହି ଫିଲ୍ମ ଶୁଟିଂ ହେବ। ପରେ ବିଦେଶରେ କରାଯିବାର ଯୋଜନା ରହିଛି।

ଉଭୟ ଫିଲ୍ମର ଶୁଟିଂ ସଠିକ୍‌ ସମୟରେ ସାରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ତେଣୁ ବିବାହ ପରେ ହନିମୁନ୍‌ ଯିବା ସମ୍ଭବ ନୁହେଁ। ଉଭୟେ ପ୍ରଫେଶନକୁ ଗୁରୁତ୍ୱ ଦେଇଛନ୍ତି। ପରେ ବ୍ୟକ୍ତିଗତ କାମ। ଫିଲ୍ମ ଶୁଟିଂ ପରେ ଭିକି-କାଟ୍ରିନା ହନିମୁନ୍‌ ପାଇଁ ମାଲଦ୍ୱୀପ ଯିବେ ବୋଲି ଶୁଣିବାକୁ ମିଳୁଛି।

Share