୩ ଫିଲ୍ମରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌ ହେଉଛନ୍ତି ଜଣେ। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଫିଲ୍ମରେ ଜବରଦସ୍ତ ଅଭିନୟ କରିଆସୁଛନ୍ତି। ଦୀର୍ଘବର୍ଷ ଧରି ଏହି ଅଭିନେତ୍ରୀ ଦମ୍‌ଦାର ଡ୍ୟାନ୍ସ ଏବଂ ବଡ଼ ବଜେଟ ଫିଲ୍ମ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଏବେ ସେ ପୁଣି ଥରେ ନିଜ ସୌନ୍ଦର୍ଯ୍ୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ ହେଲେଣି। କ୍ୟାଟ୍ରିନା କୈଫ୍‌ ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ର ଶୁଟିଂ ଆରମ୍ଭ କରିଛନ୍ତି। ସେ ଶୁଟିଂସେଟ୍‌ରୁ ଏକ ଫଟୋ ଶେୟାର କରିଛନ୍ତି।

ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତିନୋଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ‘ବାର ବାର ଦେଖୋ’ ଲେଖାଯାଇଥିବା ବେଳେ ‘ମେରୀ ଖ୍ରୀଷ୍ଟମାସ’ ସହିତ ଏକ କ୍ଲିପ୍‌ବୋର୍ଡ ଫଟୋ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି,‘କାମ, କାମ, କାମ।

ଦ୍ୱିତୀୟ ଫଟୋରେ ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କର ଏକ କଳା ଏବଂ ଧଳା ଫଟୋ ଦେଖିବାକୁ ମିଳିଛି। ସେହିପରି ତୃତୀୟ ଫଟୋରେ ସାଉଥ୍‌ ଅଭିନେତା ବିଜୟ ସେଥୁପାଠୀଙ୍କ ଫଟୋ ଶେୟାର କରିଛନ୍ତି।

ଗତ ବର୍ଷ ଖ୍ରୀଷ୍ଟମାସ ଅବସରରେ ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଏହି ଫିଲ୍ମର ନାମ ଘୋଷଣା କରିଥିଲେ। ଏଥିରେ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫ୍‌ ଏବଂ ବିଜୟ ସେଥୁପାଠୀ ନଜର ଆସିବେ। ଫିଲ୍ମଟି ଟିପ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ, ମ୍ୟାଚ ବକ୍ସ ପିକ୍ଚର୍ସ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ରମେଶ ତରଣୀ ଏବଂ ସଞ୍ଜୟ ରାଉତରାଙ୍କ ଦ୍ୱାରା ନିର୍ମିତ ହେଉଛି। କାଟ୍ରିନାଙ୍କ ହାତରେ ଏବେ ଖାଲି ଫିଲ୍ମ ପରେ ଫିଲ୍ମ। ତେଣୁ ତାଙ୍କ ଖୁସି କହିଲେ ନ ସରେ।

‘ମେରୀ ଖ୍ରୀଷ୍ଟମାସ’ ବ୍ୟତୀତ କ୍ୟାଟ୍ରିନା ପରବର୍ତ୍ତୀ ସମୟରେ ହରର୍‌ କମେଡି ‘ଫୋନ୍‌ ଭୂତ’ରେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଯାହାକି ୪ ନଭେମ୍ବର ୨୦୨୨ରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ ସଲମାନ ଖାନ୍‌ଙ୍କ ସହ ତାଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ଏକ ଥା ଟାଇଗର -୩’ ଆସୁଛି। ଯାହା ୨୩ ଏପ୍ରିଲ ୨୦୨୩ରେ ପ୍ରେକ୍ଷାଳୟରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସ୍ଥିର ହୋଇଛି।

Share