ଭିକିଙ୍କ ପୂର୍ବରୁ ଏସବୁ ଅଭିନେତାଙ୍କ ସହ ଚର୍ଚ୍ଚାରେ ଥିଲା କ୍ୟାଟ୍ରିନାଙ୍କ ପ୍ରେମ

ମୁମ୍ବାଇ: ବଲିଉଡ୍‌ର ସଫଳ ଅଭିନେତ୍ରୀ ଭାବେ ଜଣାଶୁଣା କ୍ୟାଟ୍ରିନା କୈଫ୍‌ ଆଜି ଅର୍ଥାତ୍‌ ଜୁଲାଇ ୧୬ରେ ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍‌ ଦିନରେ କ୍ୟାଟ୍ରିନାଙ୍କ ସହ ଜଡ଼ିତ କିଛି କଥା ଜାଣନ୍ତୁ…

ବିଦେଶରୁ ଭାରତ ଆସିଥିବା କ୍ୟାଟ୍ରିନା ତାଙ୍କ କ୍ୟାରିୟର ପାଇଁ କଠିନ ପରିଶ୍ରମ କରିଥିଲେ। ହିନ୍ଦୀ ଶିଖିବାଠାରୁ ଆରମ୍ଭ କରି ନୃତ୍ୟ ପର୍ଯ୍ୟନ୍ତ ସେ ନିଜ ଜୀବନଯାତ୍ରାରେ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଛନ୍ତି। ସେହିପରି ପ୍ରେମ ସମ୍ପର୍କକୁ ନେଇ ମଧ୍ୟ କ୍ୟାଟ୍ରିନା ବେଶ୍‌ ଚର୍ଚ୍ଚାରେ ଥିଲେ। ଭିକିଙ୍କୁ ବିବାହ କରିବା ପୂର୍ବରୁ ଅନେକ ଷ୍ଟାର ସହ ତାଙ୍କ ନାଁ ଯୋଡ଼ା ଯାଇଥିଲା।

ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାଟ୍ରିନାଙ୍କ ନାମ ସଲମାନ ଖାନ୍‌ଙ୍କ ସହ ଜଡ଼ିତ ଥିଲା। ଯେତେବେଳେ ସେ ଜଣେ ସଂଘର୍ଷପୂର୍ଣ୍ଣ ଅଭିନେତ୍ରୀ ଥିଲେ। ଖବର ଅନୁଯାୟୀ, ଦୁହେଁ ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କରିଥିଲେ। ଏହି ସମୟରେ, ସଲମାନ କ୍ୟାଟ୍ରିନାଙ୍କୁ ତାଙ୍କ କ୍ୟାରିୟର ଗଢ଼ିବାରେ ବହୁତ ସାହାଯ୍ୟ କରିଥିଲେ। ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ଦୁହେଁ ଏକାଠି ରହୁଥିଲେ।

ସଲମାନଙ୍କ ପରେ କ୍ୟାଟ୍ରିନାଙ୍କ ନାମ ମଧ୍ୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କ ସହ ଚର୍ଚ୍ଚା ହୋଇଥିଲା। ଷ୍ଟାଡିୟମରେ ଉଭୟେ ଆଇପିଏଲ ମ୍ୟାଚ୍‌ ଦେଖୁଥିବାର ନଜର ଆସିଥିଲେ। ସେହିପରି ରଣବୀର କପୁରଙ୍କ ସହ କ୍ୟାଟ୍ରିନାଙ୍କ ସମ୍ପର୍କ ଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। କ୍ୟାଟ୍ରିନା ମଧ୍ୟ ରଣବୀରଙ୍କୁ ବିବାହ କରିବାକୁ ଚାହୁଁଥିଲେ। ପରେ ଦୁହେଁ ଅଲଗା ହୋଇଯାଇଥିଲେ।

୨୦୧୯ରେ ପ୍ରଥମ ଥର ପାଇଁ କ୍ୟାଟ୍ରିନାଙ୍କ ନାଁ ଅଭିନେତା ଭିକି କୌଶଲଙ୍କ ସହ ଚର୍ଚ୍ଚା ହୋଇଥିଲା। କିନ୍ତୁ ତା’ପରେ ମଧ୍ୟ ଦୁହେଁ ଗଣମାଧ୍ୟମକୁ ଡେଟିଂ ବିଷୟରେ କୌଣସି ସୂଚନା ଦେଇ ନ ଥିଲେ। ଧିରେ ଧିରେ ସେମାନଙ୍କ ବିବାହର ଖବର ସାମ୍ନାକୁ ଆସିଥିଲା। ଡିସେମ୍ବର ୨୦୨୧ରେ ହଠାତ୍‌ ଦୁହିଁଙ୍କ ବିବାହ ଖବର ଆସିଥିଲା। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିବାହ ପରେ କ୍ୟାଟ୍ରିନା ଆଜି ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି, ଯେଉଁଥିପାଇଁ ସେ ସ୍ବାମୀ ଭିକିଙ୍କ ସହ ସେ ମାଳଦ୍ୱୀପ ଯାଇଛନ୍ତି।

Share