ହସ୍ପିଟାଲରୁ କାଉଡିଆଙ୍କ ମୃତଦେହ ଉଭାନ

କୋରାପୁଟ,୨୯।୭(ଅମିତାଭ ବେହେରା): ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ମହାଦେବଙ୍କ ନିକଟରେ ପାଣି ଲାଗି କରିବାକୁ ଆସିଥିବା ଜଣେ କାଉଡିଆଙ୍କ ହୃଦ୍‌ଘାତରେ ସୋମବାର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ମୃତ କାଉଡିଆଙ୍କ ମୃତଦେହ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଏବଂ ହସ୍ପିଟାଲରୁ ଉଭାନ ହୋଇଯାଇଛି। ଏ ନେଇ ମେଡିକାଲ ପକ୍ଷରୁ ତନାଘନା ଚାଲିଛି।

ମିଳିଥିବା ସୂଚନା ମୁତାବକ, ବରଗଡ଼ ଜିଲା ବରପାଲି ଅଞ୍ଚଳର ସୁକେଶ ଦିପ(୨୧) କୋରାପୁଟ ଶୈବ ପୀଠରେ ପାଣି ଢାଳିବା ପାଇଁ ସାଙ୍ଗମାନଙ୍କ ସହିତ ଆସିଥିଲେ। ସାଙ୍ଗମାନଙ୍କ ସହିତ ପାଣି ଭାର ଧରି ଚାଲିଚାଲି ଆସୁଥିବା ବେଳେ ହଟାତ୍‌ ଟଳି ପଡ଼ିଥିଲେ। ସାଙ୍ଗେମାନେ ତାଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଏହାର କିଛି ସମୟ ପରେ କାଉଡିଆଙ୍କ ମୃତଦେହ ମେଡିକାଲରୁ ଉଭାନ ହୋଇଯାଇଥିଲା। ଏପରିକି ମୃତ କାଉଡିଆଙ୍କୁ ହସ୍ପିଟାଲ ଆଣିଥିବା ସାଙ୍ଗମାନଙ୍କ ମଧ୍ୟ ଦେଖା ମିଳି ନ ଥିଲା l

ମେଡିକାଲରୁ ହଟାତ୍‌ ମୃତଦେହ ଉଭାନ ହେବା ମେଡିକାଲର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି। କାଉଡିଆଙ୍କ ମୃତ୍ୟୁ ପରେ ମେଡିକାଲ କର୍ତ୍ତୃପକ୍ଷ କାହିଁକି ମେଡିକାଲ ଥାନାକୁ ଜଣାଇ ନ ଥିଲେ। ହସ୍ପିଟାଲରେ ସୁରକ୍ଷା କର୍ମୀ ନିୟୋଜିତ ଥିବା ସତ୍ତ୍ୱେ ମୃତଦେହ କିପରି ଉଭାନ ହୋଇଗଲା ସେନେଇ ସନ୍ଦେହ ସୃଷ୍ଟି କରୁଛି।

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ଅଭିଭକ୍ତ କୋରାପୁଟ ୪ ଜିଲା ସମେତ ପଡୋଶୀ ରାଜ୍ୟ ଛତିଶଗଡରୁ ମଧ୍ୟ ଶହଶହ ରୋଗୀ ଆସୁଛନ୍ତି l ପୂର୍ବରୁ ମେଡିକାଲର ଅବ୍ୟବସ୍ଥାକୁ ନେଇ ରୋଗୀମାନେ ମୁହଁ ଫେରାଉ ଥିବା ବେଳେ ଏବେ ମେଡିକାଲରୁ ମୃତଦେହ ଉଭାନ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଏ ନେଇ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସୁପରିଟେଣ୍ଟଟ ପ୍ରଫେସର ସୁଶାନ୍ତ କୁମାର ସାହୁଙ୍କୁ ପଚାରିବାରୁ ଏନେଇ କମିଟି ଗଠନ କରି ଘଟଣାର ତଦନ୍ତ କରାଯିବ। ଏପରିକି ଥାନାରେ ଲିଖିତ ଅଭିଯୋଗ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share