Advertisement

ଦେବୀ ନଦୀରେ ଭାସିଗଲେ କାଉଡ଼ିଆ

ଜଗତ୍‌ସିଂହପୁର,୧୬।୭(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା ଆଳିପିଙ୍ଗଳ ନିକଟ ଦେବୀ ନଦୀରେ ରବିବାର ଏକ ଅଘଟଣ ଘଟିଛି। ଆଳିପିଙ୍ଗଳ ଆରପଟ କେତକେଶ୍ୱର ଘାଟରୁ ଜଣେ ନାବାଳକ କାଉଡିଆ ନଦୀରେ ଭାସି ଯାଇଛନ୍ତି। ନାବାଳକ ଜଣକ ହେଲେ ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ଗ୍ରାମର ରମେଶ ପ୍ରଧାନଙ୍କ ପୁଅ ଭୋଳା ପ୍ରଧାନ(୧୪) । ସୌଭାଗ୍ୟବଶତଃ ଅନ୍ୟ ୩ଜଣ କାଉଡିଆ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ଅପରାହ୍ନ ସାଢେ ୫ଟାରୁ ନାବାଳକ ନିଖୋଜ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ।

ଜଗତ୍‌ସିଂହପୁର ଅଗ୍ନିଶମ ବାହିନୀର ୬ ଜଣିଆ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଇତିମଧ୍ୟରେ ନିଖୋଜ ଭୋଳାଙ୍କ ଗାମୁଛା ଉଦ୍ଧାର ହୋଇଛି। ଜଣେ ବ୍ୟକ୍ତି ନଦୀରେ ମାଛ ଧରୁଥିବା ବେଳେ ଗାମୁଛାଟି ଜାଲରେ ଲାଗିବାରୁ ତାହା ଭୋଳାଙ୍କର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଲାଗି କାଉଡିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଶୈବପୀଠଗୁଡିକରେ ଜଳାଭିଷେକ କରିବେ। ଏନେଇ ରବିବାର କେତକେଶ୍ୱର ଘାଟରେ ଭିଡ ହୋଇଥିଲା। ବିଦ୍ୟାଧରପୁର ଗ୍ରାମର ୫ଜଣ କାଉଡିଆ କେତକେଶ୍ୱର ଘାଟରୁ ପାଣି ଉଠାଇବା ପାଇଁ ଅପରାହ୍ନରେ ପହଞ୍ଚି ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଭୋଗ ଆଣିବାକୁ ଯାଇଥିବା ବେଳେ ଅନ୍ୟ ୪ଜଣ ନଦୀରେ ସ୍ନାନ କରିବାକୁ ପଶିଥିଲେ। କିନ୍ତୁ ଗଣ୍ଡ ସ୍ଥାନରେ ପଶି ଯିବାରୁ ସେମାନଙ୍କ ଗୋଡ ଖସି ଯାଇଥିଲା। ଉପସ୍ଥିତ ଅନ୍ୟ କାଉଡିଆମାନେ ୩ ଜଣଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିବା ବେଳେ ଭୋଳା ପାଣିରେ ଭାସି ଯାଇଥିଲେ। କାଉଡିଆଙ୍କ ସହ ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ ସୁଦ୍ଧା ଭୋଳାଙ୍କ କୌଣସି ସନ୍ଧାନ ପାଇ ନ ଥିଲେ। ପରେ ଜଗତ୍‌ସିଂହପୁର ଅଗ୍ନିଶମ ବାହିନୀକୁ ଫୋନ କରି ଜଣାଇଥିଲେ। ଅଗ୍ନିଶମ ବାହିନୀର ୬ ଜଣିଆ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ରାତି ହୋଇଥିବାରୁ ନାବାଳକଙ୍କୁ ଖୋଜିବା କଷ୍ଟକର ହୋଇପଡିଛି। ଖବର ପାଇ ନାବାଳକଙ୍କ ପରିବାର ଲୋକ ଓ ଗ୍ରାମବାସୀ ପହଞ୍ଚିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ଅଶୋକ କୁମାର ଶତପଥୀଙ୍କୁ ପଚାରିବାରୁ ରାତି ହୋଇଥିବାରୁ ବୋଟ୍‌ ନେବା ସମ୍ଭବ ହେଉ ନାହିଁ। ଲାଇଫ ଜ୍ୟାକେଟ୍‌ ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ସହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share