ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଗଲେ କାଉଡ଼ିଆ

ପରଜଙ୍ଗ,୧ା୮(ଡି.ଏନ୍‌.ଏ.): ଜଳାଭିଷେକ କରିବାକୁ ଆସି କେନାଲରେ ଭାସି ଯାଇଛନ୍ତି ଜଣେ କାଉଡ଼ିଆ। ଏଭଳି ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋଗାଁସ୍ଥିତ ରେଙ୍ଗାଳି ବାମପାର୍ଶ୍ୱ କେନାଲରେ। ନିଖୋଜ ଭକ୍ତ ଜଣଙ୍କ ତାଳଚେରର ୧୬ ବର୍ଷୀୟ ବାଳକ ଶ୍ୟାମସୁନ୍ଦର ବାରିକ। ଶ୍ୟାମସୁନ୍ଦର  ଦୁଇ ସାଙ୍ଗଙ୍କ ସହିତ ଜଳାଭିଷେକ କରିବା ପାଇଁ କୁଆଳୋ ଗାଁସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରକୁ ଯାଇଥିଲେ। କୁଆଳୋ ଗାଁସ୍ଥିତ ରେଙ୍ଗାଳି ବାମ ପାର୍ଶ୍ୱ କେନାଲରୁ ଜଳାଭିଷେକ ପାଇଁ ଗାଧୋଉଥିବା ବେଳେ ଜଳସ୍ରୋତରେ ୨ ଜଣ ସାଙ୍ଗ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ କୂଳରେ ବସିଥିବା ସାଙ୍ଗ ଜଣଙ୍କ ଉଦ୍ଧାର କରିଥିଲେ। ମାତ୍ର ଶ୍ୟାମସୁନ୍ଦରଙ୍କୁ ଉଦ୍ଧାର କରି ପାରି ନ ଥିଲେ। ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏ ନେଇ ପରଜଙ୍ଗ ପୋଲିସ ଘଟଣାଟିର ତଦନ୍ତ କରୁଛି।

Share