ଲାଞ୍ଜିଗଡ଼,୧୭।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କୁମଖାଲ ପଞ୍ଚାୟତ ସ୍ଥିତ କୁମଖାଲ ଗାଁର ଜଣେ ୮୦ ବର୍ଷୀୟା ବୃଦ୍ଧା ଭତ୍ତା ହିତାଧିକାରୀ କୌଶଲ୍ୟା ଦଣ୍ଡସେନା ବ୍ୟାଙ୍କ ପାସବହି ପରିବର୍ତ୍ତେ ହାତରେ ଭତ୍ତା ଟଙ୍କା ଦେବାକୁ ନିବେଦନ କରିଛନ୍ତି । ସୂଚନାନୁସାରେ କୌଶଲ୍ୟା ଦଣ୍ଡସେନା ଦୀର୍ଘ ୨୦୧୦ ରୁ ଭତ୍ତା ପାଇ ଆସୁଥିବାବେଳେ ବର୍ତ୍ତମାନ ଆଉ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇ ଆଣିବା ତାଙ୍କ ପକ୍ଷେ ସମ୍ଭବ ନାହିଁ। ହିତାଧିକାରୀ କୌଶଲ୍ୟା ଏବଂ ତାଙ୍କ ସମ୍ପର୍କୀୟ କହିବା ଅନୁସାରେ ତାଙ୍କ ଗାଁରୁ ବ୍ୟାଙ୍କକୁ ଯିବାପାଇଁ ପ୍ରାୟ ୬ରୁ ୭ କିଲୋମିଟର ରାସ୍ତା ହେବ । ପୂର୍ବରୁ କୌଶଲ୍ୟାଙ୍କୁ ତାଙ୍କ ନାତି ମଟର ସାଇକେଲରେ କଳେବଳେ ବ୍ୟାଙ୍କକୁ ନେଇ ଭତ୍ତା ଟଙ୍କା ଉଠାଇ ଆଣୁଥିଲେ କିନ୍ତୁ ବର୍ତ୍ତମାନ ତାହା ଆଉ ସମ୍ଭବ ହୋଇପାରୁନାହିଁ।
ଆଉ ଏବେ ତାଙ୍କୁ ବାଇକରେ ବ୍ୟାଙ୍କ ନେବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ଏନେଇ ବୃଦ୍ଧା ହିତାଧିକାରୀ କହିଛନ୍ତି, ଆଜ୍ଞା ମୁଁ ବୁଢ଼ୀ ଲୋକ,ମୁଁ ଚାଲି ବୁଲି ପାରୁନାହିଁ କି ମୋର କେହି ଲୋକ ବି ନାହାନ୍ତି। ମେର ଆଉ ବ୍ୟାଙ୍କକୁ ଯିବାକୁ ବଳ ବି ନାହିଁ। ମୋତେ ବ୍ୟାଙ୍କ ଆକାଉଣ୍ଟରେ ଦେବା ବଦଳରେ ମୋତେ ହାତରେ ଯଦି ମୋର ଭତ୍ତା ଟଙ୍କା ଦିଅନ୍ତେ ମୋତେ ସୁବିଧା ହୁଅନ୍ତା।
ଗାଁ ପାଖରେ ମିନି ବ୍ୟାଙ୍କ ରହିଥିଲେ ହେଁ ସେଠାରେ ତାଙ୍କର ଆଙ୍ଗୁଠି ଛାପ ମଧ୍ୟ କାମ କରୁନାହିଁ । ଏନେଇ ତାଙ୍କୁ ବ୍ୟାଙ୍କ ପରିବର୍ତ୍ତେ ହାତରେ ଭତ୍ତା ଟଙ୍କା ଦିଆଯାଉ ବୋଲି ବହୁବାର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ ହେଁ କେହି କର୍ଣ୍ଣପାତ କରୁନଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି କୌଶଲ୍ୟା। ଏନେଇ ଲାଞ୍ଜିଗଡ଼ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଏହାର ଅଭିଯୋଗ ଆମେ ପାଇଛୁ ଏବଂ ହାତରେ ଭତ୍ତା ଦେବା ପ୍ରକ୍ରିୟା ଏପ୍ରିଲ ପରେ ଏହାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।


