Categories: ଖେଳ

କରୋନା ସଂଘର୍ଷରେ ହାରିଗଲେ କୌଶିକ

ନୂଆଦିଲ୍ଲୀ, ୯ା୫(ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ତଥା କୋଚ୍‌ ଏମ୍‌.କେ. କୌଶିକ୍‌ଙ୍କର ଶନିବାର ଦେହାନ୍ତ ହୋଇଯାଇଛି। କରୋନାରେ ପୀଡ଼ିତ ହେବା ପରେ ସେ ଗତ ୩ ସପ୍ତାହ ହେଲା ଜୀବନ ପାଇଁ ସଂଘର୍ଷ ଚଳାଇ ଆସୁଥିଲେ। ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା। କୌଶିକ୍‌ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ସେ ଭାରତର ଉଭୟ ସିନିୟର ପୁରୁଷ ଓ ମହିଳା ଦଳର କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ପୁରୁଷ ଦଳ ୧୯୯୮ ବ୍ୟାଙ୍କକ୍‌ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ସେହିପରି ମହିଳା ଦଳ ୨୦୦୬ରେ ଦୋହା ଏସିଆନ ଗେମ୍ସରେ ବ୍ରୋଞ୍ଜ ଜିତିଥିଲା। ସେ ୧୯୯୮ରେ ଅର୍ଜୁନ ଏବଂ ୨୦୦୨ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ।