Categories: ଜାତୀୟ

ବନ୍ୟା ଘେରରେ କାଜିରଙ୍ଗା ଜାତୀୟ ଉଦ୍ୟାନ; ୧୧୪ ବନ୍ୟଜନ୍ତୁ ମୃତ

ଗୁଆହାଟୀ, ୬।୭: ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ବାଦ୍‌ ପଡ଼ିନାହିଁ। ଏହି ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ୧୧୪ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ସେହିପରି ଶନିବାର ସୁଦ୍ଧା ୯୫ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବନ୍ୟାଜଳରେ ବୁଡ଼ିଯାଇ ୪ ଗଣ୍ଡା ୯୪ ହଗ୍‌ ହରିଣଙ୍କର ମୃତ୍ୟୁ ଘଟିଛି।

ଜଙ୍ଗଲର କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ମଧ୍ୟରେ ୮୬ ହଗ୍‌ ହରିଣ ୨ଟି ଲେଖାଁଏ ସାମ୍ବର ହରିଣ, ପେଚା ଓ ଜଙ୍ଗଲୀ ବିଲେଇ ଏବଂ ଗୋଟିଏ ଲେଖାଁଏ ହାତୀ, ଓଧ ଓ ଭାରତୀୟ ଠେକୁଆଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଚିକିତ୍ସା ପରେ ୫୦ ବନ୍ୟଜନ୍ତୁଙ୍କୁ ଛାଡ଼ିଦିଆଯାଇଥିବାବେଳେ ୩୪ ବନ୍ୟପ୍ରାଣୀଙ୍କର ଚିକିତ୍ସା ଏବେମଧ୍ୟ ଚାଲିଛି।

ଅନ୍ୟପକ୍ଷରେ, ଚିକିତ୍ସା ଚାଲିଥିବାବେଳେ ୧୧ ବନ୍ୟପ୍ରାଣୀ ପ୍ରାଣ ହରାଇଛନ୍ତି। ତେବେ ଏହି ବନ୍ୟା ଯୋଗୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ନିକଟ ଅତୀତରେ ସର୍ବାଧିକ ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟିଥିବା ଆସାମ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର କର୍ମଚାରୀମାନେ ଏହି ଜାତୀୟ ଉଦ୍ୟାନରେ ଥିବା ବିଭିନ୍ନ କ୍ୟାମ୍ପରେ ରହି ପାଟ୍ରୋଲିଂ କରୁଛନ୍ତି।

Share