Categories: ଫୁରସତ

କାଜିରଙ୍ଗା ଜାତୀୟ ଉଦ୍ୟାନ

ଆସାମର ଏକ ଲୋକପ୍ରିୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ କାଜିରଙ୍ଗା ଜାତୀୟ ଉଦ୍ୟାନର ରହିଛି ଅନେକ ଖ୍ୟାତି। ଏହା ସ୍ଥାନୀୟ ଗୋଲାଘାଟ, କାର୍ବି ଆଙ୍ଗଲୋଙ୍ଗ ତଥା ନଗାଓଁ ଜିଲାର ସୀମାକୁ ଲାଗି ପ୍ରାୟ ୪୩୦ ବର୍ଗ କି.ମି ପରିସୀମା ବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଛି। ଏଠାରେ ମୁଖ୍ୟତଃ ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କୁ ବହୁ ସଂଖ୍ୟାରେ ଦେଖିବାକୁ ମିଳିଥାଏ। କହିବାକୁ ଗଲେ ସମଗ୍ର ବିଶ୍ୱରେ ଯେତିକି ଏକଶିଙ୍ଗ ବିଶିଷ୍ଟ ଗଣ୍ଡା ଦେଖାଯା’ନ୍ତି, ତନ୍ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଗଣ୍ଡା କେବଳ ଏହି ଅଭୟାରଣ୍ୟରେ ଅଛନ୍ତି। ସେହିପରି ଗଣ୍ଡାଙ୍କ ବ୍ୟତୀତ ଅନ୍ୟାନ୍ୟ ବନ୍ୟ ଜୀବଜନ୍ତୁ ତଥା ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ବି ଏଠାରେ ଦେଖିବାକୁ ମିଳିଥାଏ। ସେଥିପାଇଁ ବର୍ଷର ପ୍ରାୟ ଅଧିକାଂଶ ସମୟ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।
ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୦୪ ମସିହାରେ ଏହାକୁ ଏକ ସଂରକ୍ଷଣ କେନ୍ଦ୍ର ଘୋଷଣା କରିବାକୁ ପ୍ରଥମେ ଯୋଜନା କରାଯାଇଥିଲା ଏବଂ ୧ ଜୁନ୍‌ ୧୯୦୫ରେ ପ୍ରାୟ ୨୩୨ ବର୍ଗ କି.ମି. ଅଞ୍ଚଳକୁ ନେଇ କାଜିରଙ୍ଗା ପ୍ରସ୍ତାବିତ ସଂରକ୍ଷଣ କେନ୍ଦ୍ର ଗଢ଼ି ଉଠିଥିଲା। ପୁନର୍ବାର ୧୯୦୮ରେ ଆଉ ୧୫୨ ବର୍ଗ କି.ମି. ଅଞ୍ଚଳକୁ ଉକ୍ତ ସଂରକ୍ଷଣ କେନ୍ଦ୍ର ସହ ମିଶାଇ ଦିଆଗଲା। ୧୯୧୬ରେ ଉକ୍ତ ସଂରକ୍ଷଣ କେନ୍ଦ୍ରକୁ କାଜିରଙ୍ଗା କ୍ରୀଡ଼ା ଅଭୟାରଣ୍ୟରେ ପରିଣତ କରି ୧୯୩୮ ମସିହା ପରଠୁ ଏଠାରେ ଶିକାରକୁ ବାରଣ କରାଯିବା ସହ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ଅନୁମତି ଦିଆଯାଇଥିଲା। ପରେ ୧୯୫୦ ମସିହାରେ ଏହା କାଜିରଙ୍ଗା କ୍ରୀଡ଼ା ଅଭୟାରଣ୍ୟରୁ କାଜିରଙ୍ଗା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ପରିବର୍ତ୍ତିତ ହୋଇଥିଲା। ସେହିପରି ୧୯୬୮ରେ ୪୩୦ ବର୍ଗ କି.ମି. ଅଞ୍ଚଳକୁ ନେଇ ଏହାକୁ ଏକ ଜାତୀୟ ଉଦ୍ୟାନର ମାନ୍ୟତା ଦେବାକୁ ଚେଷ୍ଟା କରାଯାଇଥିଲେ ହେଁ ଶେଷରେ ୧୯୭୪ରେ ଏହାକୁ ଭାରତ ସରକାରଙ୍କ ତରଫରୁ ମଞ୍ଜୁର ମିଳିଥିଲା। ଅନ୍ୟପକ୍ଷେ ୧୯୮୫ରେ ଏହି ଜାତୀୟ ଉଦ୍ୟାନକୁ ୟୁନେସ୍କୋ ତରଫରୁ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିଥିଲା।
କ’ଣ ଦେଖିବେ
କାଜିରଙ୍ଗା ଜାତୀୟ ଉଦ୍ୟାନରେ କେବଳ ଯେ ବହୁସଂଖ୍ୟାରେ ଏକଶିଙ୍ଗ ବିଶିଷ୍ଟ ଗଣ୍ଡା ଦେଖାଯା’ନ୍ତି ତାହା ନୁହେଁ; ଅନେକ ବାଘ, ହାତୀ, ବନ୍ୟ ମଇଁଷି, ସମ୍ବର, ଗୟଳ, ଜଙ୍ଗଲୀ ଘୁଷୁରି, ଭାଲୁ, ବାରଶିଙ୍ଗା (ଏକ ଜାତୀୟ ହରିଣ) ଇତ୍ୟାଦି ବନ୍ୟପଶୁଙ୍କୁ ଦେଖିବାକୁ ମିଳିଥାଏ। ସେହିପରି ବିଭିନ୍ନ ପ୍ରଜାତିର ପକ୍ଷୀ ବି ଏଠାରେ ଦେଖାଯାଇଥା’ନ୍ତି। ଅନ୍ୟପକ୍ଷରେ ଉକ୍ତ ଅଭୟାରଣ୍ୟରେ ବହୁ ପରିମାଣରେ ବନସ୍ପତି ବୃକ୍ଷ ବି ରହିଛି। କହିବାକୁ ଗଲେ ପ୍ରକୃତିପ୍ରେମୀ ବା ପକ୍ଷୀପ୍ରେମୀଙ୍କ ପାଇଁ ଏହି ସ୍ଥାନଟି ଦ୍ୱିତୀୟ ସ୍ବର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ।
ସଫାରିର ମଜା ନିଆରା
ଏହି ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ଦୁଇ ପ୍ରକାର ସଫାରିର ଆନନ୍ଦ ନେଇପାରିବେ। ଗୋଟିଏ ହେଉଛି ଜିପ୍‌ ସଫାରି ଏବଂ ଅନ୍ୟଟି ହେଉଛି ହାତୀ ସଫାରି ଅର୍ଥାତ୍‌ ହାତୀପିଠିରେ ବସି ବୁଲିବା।
କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ର ମତାନୁସାରେ, ଏହି ଜାତୀୟ ଉଦ୍ୟାନକୁ ବୁଲିଯିବା ପାଇଁ ନଭେମ୍ବରରୁ ଏପ୍ରିଲ୍‌ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଏପ୍ରିଲ୍‌ ପରେ ଏଠାରେ ଧୀରେ ଧୀରେ ବର୍ଷା ହେବାକୁ ଆରମ୍ଭ କରିଥାଏ। ସୂଚନାନୁଯାୟୀ, ଏଠାରେ କୁଆଡ଼େ ଅତ୍ୟଧିକ ବର୍ଷା ହୁଏ। ଏପରିକି ବର୍ଷାଦିନେ ଏଠାରେ ବେଳେବେଳେ ବନ୍ୟା ପରିସ୍ଥିତି ଉପୁଜିଥାଏ। ଯଦ୍ଦ୍ବାରା ପଶୁପକ୍ଷୀମାନେ ବର୍ଷାଦିନେ ଅଭୟାରଣ୍ୟର ଉଚ୍ଚ ସ୍ଥାନକୁ ଚାଲିଯାଇଥା’ନ୍ତି; ଫଳରେ ସେମାନଙ୍କୁ ଦେଖିବା ସମ୍ଭବ ହୋଇ ନ ଥାଏ। ତେଣୁ ନଭେମ୍ବରରୁ ଏପ୍ରିଲ୍‌ ଭିତରେ ଗଲେ ଏଠାରେ ପଶୁପକ୍ଷୀଙ୍କୁ ନିକଟରୁ ଦେଖିବାର ସୁବିଧା ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ମଧ୍ୟ ବେଶ୍‌ ସୁବିଧା ରହିଛି। ପର୍ଯ୍ୟଟକମାନେ ଯେଉଁଥିରେ ଯିବାକୁ ଉପଯୁକ୍ତ ମଣିବେ, ଆରାମରେ ଯାଇ ଖୁସିରେ ଭ୍ରମଣ କରିପାରିବେ।

Share