‘କୌନ ବନେଗା କରୋଡପତି-୧୪’କୁ ମିଳିଲା ପ୍ରଥମ କୋଟିପତି; ଗୃହିଣୀ ମାରିଲେ ବାଜି

ବମ୍ବେ: ‘କୌନ ବନେଗା କରୋଡପତି’ର ୧୪ତମ ସଂସ୍କରଣକୁ ମିଳିଲା ପ୍ରଥମ କୋଟିପତି। କୋହ୍ଲାପୁରର ଗୃହିଣୀ କବିତା ଚାଓ୍ବଲା ୧ କୋଟି ଟଙ୍କା ଜିତି ଇତିହାସ ରଚିଛନ୍ତି। ଚଳିତ ସିଜନରେ ପ୍ରଥମ ପ୍ରତିଯୋଗୀ ଭାବେ ସେ ୧ କୋଟି ଟଙ୍କା ଜିତିବାରେ ସଫଳ ହୋଇଛନ୍ତି। ଏହାପରେ ୭.୫ କୋଟି ଟଙ୍କା ପ୍ରଶ୍ନର ଉତ୍ତର ଦେବାକୁ ହଟ୍‌ ସିଟ୍‌ରେ ସେ ଥିବାରୁ ଅଧିକ ଟଙ୍କା ଜିତିବେ ବୋଳି ଆଶା କରାଯାଉଛି।

ନିଜ ଖୁସି ବ୍ୟକ୍ତ କରି କବିତା କହିଛନ୍ତି, ଏକ କୋଟି ଜିତିଥିବା ପ୍ରଥମ ପ୍ରତିଯୋଗୀ ହୋଇଥିବାରୁ ଗର୍ବ ଲାଗୁଛି। ପରବର୍ତ୍ତୀ ସୋପାନ ୭.୫ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ଦେବାକୁ ଆଶା କରୁଛି। ମୋ ବାପା ଏବଂ ପୁଅ ବିବେକ ମୁମ୍ବାଇରେ ଅଛନ୍ତି। ମୁଁ ୧ କୋଟି ଜିତିଛି ବୋଲି ପରିବାରରେ କେହି ଜାଣି ନାହାନ୍ତି। ମୁଁ ଚାହୁଁଛି ଯେ ସେମାନେ ଶୋ’ ଦେଖନ୍ତୁ ଏବଂ ସରପ୍ରାଇଜ୍‌ ହୁଅନ୍ତୁ।

ତେବେ ୨୦୦୦ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ‘କୌନ ବନେଗା କରୋଡପତି’। ସେବେଠାରୁ ଶୋ’ରେ ଭାଗ ନେବାକୁ ଚାହୁଁଥିଲେ କବିତା। ହେଲେ ୨୧ ବର୍ଷ ୧୦ ମାସ ପରେ ତାଙ୍କୁ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ସିଟ୍‌ରେ ବସିବାର ସୁଯୋଗ ମିଳିଥିଲା। ପାଠପଢ଼ା ଦେଖିଲେ ସେ ଯୁକ୍ତ ୨ ଯାଏ ପଢ଼ିଛନ୍ତି। ମାତ୍ର ସେ ଲେଖାପଢ଼ା ଛାଡ଼ି ନ ଥିଲେ। ପୁଅଙ୍କୁ ପଢ଼ାଇବା ବେଳେ ସେ ମଧ୍ୟ ପଢ଼ୁଥିଲେ, ଯାହା ତାଙ୍କୁ ଆଜି ଜିତିବାରେ ସହାୟତା କରିଛି ବୋଲି ସେ କହିଛନ୍ତି।

Share