ସ୍ୱାଧିନତାର ମହାପର୍ବ ସହ ଆରମ୍ଭ ହେବ ‘କୌନ ବନେଗା କରୋଡପତି’ର ନୂଆ ସିଜନ

ମୁମ୍ବାଇ,୨୪ ।୭: ଟେଲିଭିଜନ ଦୁନିଆର ସବୁଠାରୁ ଆକର୍ଷିତ କ୍ୱିଜ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ ବେଶ କିଛିବର୍ଷ ହେବ ଦର୍ଶକଙ୍କ ମନୋରଞ୍ଜନ କରି ଆସିଛି । ଏହାର ୧୩ ତମ ସିଜନ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ ଦର୍ଶକେ ବଡ ଉତ୍ସୁକତାର ସହ ୧୪ତମ ସିଜନକୁ ଅପେକ୍ଷା ରଖିଛନ୍ତି । ଏବେ ମେକର୍ସଙ୍କ ପକ୍ଷରୁ ଶୋ’ର ଟେଲିକାଷ୍ଟ ଡେଟ ସମ୍ପର୍କରେ ସୂଚନା ଦିଆଯାଇଛି । କେବିସି ୧୪ର ପ୍ରିମିୟର ତାରିଖ ଘୋଷଣା ହୋଇ ସାରିଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ସୋନି ଟିଭି ପକ୍ଷରୁ ପୋଷ୍ଟ ଶେୟାର କରି ଏହି ସୂଚନା ଦିଆଯାଇଛି । ଆସନ୍ତା ମାସରେ ନୂଆ ସିଜନ ଆରମ୍ଭ କରାଯିବ । ରବିବାର ୭ ଅଗଷ୍ଟ ରାତି ୯ଟାରେ ଆରମ୍ଭ ହେବ କୌନ ବନେଗା କରୋଡପତିର ନୂଆ ଅଧ୍ୟାୟ । ଏହାସହ ସୋନି ଟିଭି ପକ୍ଷରୁ ପ୍ରମୋ ବି ଶେୟାର କରାଯାଇଛି । ଏଥିରେ ଅଭିନେତା ଅମିତାଭ ବଚ୍ଚନ ସ୍ୱାଧିନତାର ମହାପର୍ବ ସହ ଦର୍ଶକଙ୍କୁ ପରିଚିତ କରାଉଛନ୍ତି ।
ପ୍ରମୋ ଭିଡିଓରେ ସ୍ପଷ୍ଟ ଜଣାପଡୁଛି କି ଏଥର ଶୋ’ରେ ଭିନ୍ନ ଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱ ସାମିଲ ହେବେ । ଏମାନଙ୍କ ମଧ୍ୟରେ ବକ୍ସର ମେରିକମ, ଫୁଟବଲ ଖେଳାଳି ସୁନିଲ ଛେତ୍ରୀ, ଅଭିନେତା ଆମିର ଖାଁ, କାରଗିଲ ୱାରର ସାହସି ଯବାନ ଡିପି ସିଂଙ୍କ ସମେତ ଅନ୍ୟ ଅନେକ ବଡ ବଡ ବ୍ୟକ୍ତିତ୍ୱ ସାମିଲ ହେବେ । ଏମାନେ କବେଳ ହଟ ସିଟ ଉପରେ ପ୍ରଶ୍ନର ଉତ୍ତର ଦେବେ ନାହିଁ ବରଂ ଦର୍ଶକଙ୍କ ସହ ସେମାନଙ୍କ ସଫଳତାର ଯାତ୍ରା ଶେୟାର କରିବେ ।
ରବିବାର କେବିସି ୧୪ ସିଜନର ସ୍ପେଶାଲ ଏପିସୋଡ ପ୍ରସାରିତ କରାଯିବ । ଏହାପରେ ସୋମବାର ୮ ଅଗଷ୍ଟରୁ ପ୍ରତିଦିନ ଶୋ’ର ନୂଆ ଏପିସୋଡ ପ୍ରସାରଣ କରାଯିବ । ପ୍ରତିଥର ଭଳି ଏଥର ବି ବଲିଉଡର ମହାନାୟକ ଏହାର ହୋଷ୍ଟ ରହିଛନ୍ତି । ଏହା ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ ଟେଲିକାଷ୍ଟ କରାଯିବ । ଶୁକ୍ରବାର ଭିନ୍ନ ଭିନ୍ନ କଳାକାର ଏଥିରେ ଭାଗ ନେବେ । ଏବେ ପର୍ଯ୍ୟନ୍ତ ପ୍ରାୟ ଶୋ’ର ଶୁଟିଂ ସରିଯାଇଥିବା କୁହାଯାଉଛି ।

Share