ଭୁବନେଶ୍ୱର,୧୬ା୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ (କୋଇ ଭି ନହିଁ) ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ପୁଣି ଥରେ ଗିରଫ ହୋଇଛନ୍ତି। ବରମୁଣ୍ଡା ବସ୍ଷ୍ଟାଣ୍ଡ ପରିସରରେ ଜଣେ ଯୁବକଙ୍କୁ ଖଣ୍ଡା ଓ ଲୁହାଛଡ଼ରେ ଆକ୍ରମଣ କରି ସାଢ଼େ ୧୨ ହଜାର ଟଙ୍କା ଓ ସୁନା ଚେନ୍ ଲୁଟ୍ କରିବା ଅଭିଯୋଗରେ ବୁବୁ ଓ ତାଙ୍କ ସହଯୋଗୀ ସନାତନ ବେହେରାଙ୍କୁ ଗିରଫ ପରେ ପୋଲିସ ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁସାରେ ଫେବୃୟାରୀ ୧୨ ବିଳମ୍ବିତ ରାତିରେ ଅଭିଯୋଗକାରୀ ଜଣକ ବିଶ୍ରାମ ନେବା ନିମନ୍ତେ ବରମୁଣ୍ଡା ଟିକେଟ କାଉଣ୍ଟର ନିକଟକୁ ଯିବା ସମୟରେ ଅଭିଯୁକ୍ତଦ୍ୱୟ ତାଙ୍କୁ ପଛରୁ ଡାକି ଅଟକାଇବା ସହିତ ହଠାତ୍ ଖଣ୍ଡା ଓ ଲୁହାଛଡ଼ ସାହଯ୍ୟରେ ଆକ୍ରମଣ କରି ଟଙ୍କା ନେଇଯାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବାରୁ ୭ ମାସ ପରେ ଅଭିଯୁକ୍ତଦ୍ୱୟଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି।