ପାଟନା,୩୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପାଟନାରେ ଆରଜେଡି ମୁଖ୍ୟ ଲାଲୁ ଯାଦବ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଭେଟିଛନ୍ତି। ରାବ୍ରି ଦେବୀଙ୍କ ବାସଭବନରେ ହୋଇଥିବା ଏହି ସାକ୍ଷାତବେଳେ କେସିଆର୍ ବିରୋଧୀ ଏକତା ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବରୁ କେସିଆର୍ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ। ଦେଶରେ ଚାଲିଥିବା ସମସ୍ୟା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଏବଂ ଭାଜପା ମୁକ୍ତ ଭାରତ ପାଇଁ ବିରୋଧୀ ଦଳକୁ ଏକାଠି ହେବାକୁ କହିଛନ୍ତି। ତେବେ ମିଳିତ ବିରୋଧୀ ଦଳର ନେତୃତ୍ୱ ଏବଂ ଏଥିରେ କଂଗ୍ରେସର ଭୂମିକା ସମ୍ପର୍କରେ ସେ କିଛି କହି ନାହାଁନ୍ତି। ଏହାପୂର୍ବରୁ କେସିଆର୍ ନୀତୀଶ କୁମାରଙ୍କୁ ତାଙ୍କ ବଡ଼ ଭାଇ ବୋଲି କହି ସମ୍ବୋଧନ କରିଥିଲେ। ଧର୍ମ ନାମରେ ସମାଜକୁ ଭାଙ୍ଗିବା ପାଇଁ ଯେଉଁଭଳି କାର୍ଯ୍ୟ କରାଯାଉଛି ତାର ଉଚିତ ଜବାବ ଦେଶର ଜନତା ଦେବେ ବୋଲି କେସିଆର କହିଛନ୍ତି।