Categories: ଜାତୀୟ

ଏନ୍‌ଡିଏରେ ମିଶିବାକୁ ଚାହୁଁଥିଲେ କେସିଆର୍‌

ହାଇଦ୍ରାବାଦ/ନୂଆଦିଲ୍ଲୀ,୪ା୧୦: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ୨୦୨୦ ପୌର ନିର୍ବାଚନ ପରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରେ ମିଶିବାକୁ ଚାହୁଁଥିଲେ। ଏନେଇ ସେ ଅନେକ ଥର ଅନୁରୋଧ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ମନାକରି ଦେଇଥିଲେ। ଏଥିଯୋଗୁ କେସିଆର୍‌ଙ୍କ ମୁଣ୍ଡ ଘୂରିଯାଇଥିଲା ବୋଲି ମଙ୍ଗଳବାର ତେଲଙ୍ଗାନାର ନିଜାମାବାଦରେ ଏକ ସଭାକୁ ସମ୍ବୋଧିତ କରି ଖୋଦ୍‌ ପ୍ରଧାନମନ୍ତ୍ରୀ ପ୍ରଘଟ କରିଛନ୍ତି। ନିର୍ବାଚନମୁହଁା ତେଲଙ୍ଗାନାରେ ୮ ହଜାର କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ମୋଦିଙ୍କ ଏହି ନାଟକୀୟ ପ୍ରଘଟକୁ ଅନେକେ ବିଶ୍ୱାସ କରିପାରିନାହାନ୍ତି।
ପ୍ରଧାନମନ୍ତ୍ରୀଙ୍କ ଭାଷଣର ଘଣ୍ଟାଏ ପରେ ଏହାର ଜବାବ ରଖିଛନ୍ତି କେସିଆର୍‌ଙ୍କ ପୁଅ କେ.ଟି. ରାମାରାଓ (କେଟିଆର୍‌)। ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ତେଲଙ୍ଗାନା ମନ୍ତ୍ରୀ କେଟିଆର୍‌ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କଥାରେ ଆଦୌ ସତ୍ୟତା ନାହିଁ। ଆମକୁ ପାଗଳା କୁକୁର କାମୁଡ଼ିନାହିଁ ଯେ, ଆମେ ଏନ୍‌ଡିଏରେ ସାମିଲ ହେବୁ। ମୋ ବାପା କେବେହେଲେ ଭାଜପା ସହ ମିଶି କାମ କରିବାକୁ ଆଗ୍ରହୀ ନ ଥିଲେ। ଶିବସେନା, ସଂଯୁକ୍ତ ଜନତା ଦଳ, ତେଲୁଗୁ ଦେଶମ୍‌ ପାର୍ଟି, ଶିରୋମଣି ଅକାଳୀ ଦଳ ଭଳି ପାର୍ଟିଗୁଡ଼ିକ ଏନ୍‌ଡିଏ ଛାଡ଼ିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗକୁ ଛାଡ଼ିଦେଲେ ମୋଦିଙ୍କ ସହ କିଏ ଅଛନ୍ତି? ୨୦୧୮ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଭାଜପାର ୧୦୫ ପ୍ରାର୍ଥୀ ଅମାନତ ହରାଇଥିଲେ। ଏଥର ୧୧୦ ପ୍ରାର୍ଥୀଙ୍କ ଅମାନତ ଯିବ ବୋଲି ମୋଦିଙ୍କୁ କେଟିଆର୍‌ ଟାର୍ଗେଟ କରିଛନ୍ତି।
କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏହା ଉପରେ ମତ ରଖି କହିଛନ୍ତି, ବିଆର୍‌ଏସ୍‌ର ମାନେ ହେଉଛି ବିଜେପି ରିସ୍ତେଦାର ପାର୍ଟି। ପ୍ରଧାନମନ୍ତ୍ରୀ ଖୋଲାଖୋଲି ଭାବେ ଏହାକୁ ସ୍ବୀକାର କରିଛନ୍ତି। ଭାଜପା ଏବଂ ବିଆର୍‌ଏସ୍‌ ମଧ୍ୟରେ ଥିବା ଭିତିରି ସମ୍ପର୍କ ଗତ ୧୦ ବର୍ଷ ମଧ୍ୟରେ ତେଲଙ୍ଗାନାକୁ ଧ୍ୱଂସ କରିଦେଇଛି। ଲୋକେ ବୁଦ୍ଧିଆ। ସେମାନେ ସବୁ ବୁଝୁଛନ୍ତି। ଏଥର ଏହି ୨ ଦଳକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ଭୋଟ ଦେବେ ବୋଲି ରାହୁଲ କହିଛନ୍ତି।

Share