ଚେନ୍ନାଇ,୨୧।୪: ସନରାଇଜର୍ସ ହାଇଦ୍ରାବାଦ(ଏସ୍ଆର୍ଏଚ୍) ପାଇଁ ଚଳିତ ଆଇପିଏଲ୍ ସେତେଟା ଭଲ ସାବ୍ୟସ୍ତ ହେଉନାହିଁ। ପ୍ରଥମ ତିନୋଟି ମୁକାବିଲାରେ ଦଳ ପରାଜିତ ହୋଇଛି। ଖେଳାଳି ପରିବର୍ତ୍ତନ କଲେ ସୁଦ୍ଧା ସେତେଟା ସୁଫଳ ମିଳୁନାହିଁ। ଏବେ ଡେଭିଡ୍ ଓ୍ବାର୍ନରଙ୍କ ନେତୃତ୍ୱାଧିନ ହାଇଦ୍ରାବାଦ ଚତୁର୍ଥ ମୁକାବିଲା ପାଇଁ ପୁଣି ଥରେ ଖେଳାଳିଙ୍କ ମଧ୍ୟରେ ପରିବର୍ତ୍ତନ କରିଛି।
ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ଲାଗି ମୁଜିବ ଉର ରେହମାନ, ଅବ୍ଦୁଲ ସମଦ, ମନୀଷ ପାଣ୍ଡେଙ୍କ ସ୍ଥାନରେ କେନ୍ ଓ୍ବିଲିୟମସନ, କେଦାର ଯାଦବ ଏବଂ ସିର୍ଦ୍ଧାର୍ଥ କୌଲଙ୍କୁ ସାମିଲ କରାଯାଇଛି। ପ୍ରଥମ ଥର ଲାଗି ଯାଦବ ହାଇଦ୍ରାବାଦ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ଏହା ଏସ୍ଆର୍ଏଚ୍ ପାଇଁ ଡେବ୍ୟୁ ମ୍ୟାଚ୍। ଦଳ ଯାଦବଙ୍କଠାରୁ ବହୁତ କିଛି ଆଶା କରୁଛି।
ଗତ ସିଜିନ୍ରେ ଯାଦବଙ୍କ ପ୍ରଦର୍ଶନ ସେତେଟା ଭଲ ନ ଥିଲା। ସେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ୮ ମ୍ୟାଚ୍ ଖେଳି ୬୨ରନ୍ କରିଥିଲେ। ସେଥିରୁ ୨୬ ତାଙ୍କର ସର୍ବାଧିକ ସ୍କୋର ଥିଲା। ତେବେ ହାଇଦ୍ରାବାଦ ଯାଦବଙ୍କ ଆଇପିଏଲ୍ରେ ଚତୁର୍ଥ ଟିମ୍। ପୂର୍ବରୁ ସେ ଚେନ୍ନାଇ, ଦିଲ୍ଲୀ ଡେୟାରଡେଭିଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳି ସାରିଛନ୍ତି।