Categories: ଜାତୀୟ

କରୋନା ସଙ୍କଟ ମଧ୍ୟରେ ଖୋଲିଲା କେଦାରନାଥ କବାଟ

ଡେରାଡୁନ,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ଏହାରି ଭିତରେ ଉତ୍ତରାଖଣ୍ଡର ଧର୍ମନଗରୀ କେଦାରନାଥ ଧାମର କବାଟ ଖୋଲିଛି। ସୋମବାର ସକାଳ ୫ଟାରେ ବିଧିବିଧାନ ସହ କୋଭିଡ ନିୟମ ଅନୁସାରେ ବାବା କେଦାରନାଥଙ୍କ କବାଟ ଖୋଲାଯାଇଛି। ଏଥିପାଇଁ ଭୋର ୩ଟାରୁ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଏହାପରେ ସକାଳ ୫ଟାରେ ମେଷ ଲଗନରେ ବାବାଙ୍କ କବାଟ ଖୋଲାଯାଇଥିଲା। ଏହି ସମୟରେ ମନ୍ଦିର ପରିସରରେ ତୀର୍ଥ ପୁରୋହିତ, ପଣ୍ଡା ସମାଜ ଆଦି ଉପସ୍ଥିତ ଥିଲେ। ମନ୍ଦିରକୁ ୧୧ କୁଇଣ୍ଟାଲ ଫୁଲ ମାଳାରେ ସୁସଜ୍ଜିତ କରାଯାଇଛି। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଶ୍ରଦ୍ଧାଳୁଙ୍କୁ ଶୁଭକାମନା ଜଣାଇବା ସହ ଘରେ ରହି ପୂଜାର୍ଚ୍ଚନା କରିବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ମନ୍ଦିରରେ ସର୍ବପ୍ରଥମେ ଜିଲାଧିକାରୀଙ୍କ ହାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ପୂଜାର୍ଚ୍ଚନା କରାଯାଇଥିଲା। ସୂଚନା ମୁତାବକ କୋଭିଡ ପରିସ୍ଥିତି ଯୋଗୁ ଚାରିଧାମ ଯାତ୍ରାକୁ ସ୍ଥଗିତ କରାଯାଇଛି। କେବଳ ତୀର୍ଥ ପୁରୋହିତ ମନ୍ଦିରରେ ନିୟମିତ ପୂଜା କରିବେ ବୋଲି ସୂଚନା ରହିଛି।

 

Share